ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ବଢ଼ିଚାଲିଥିବା ବେଳେ ବର୍ତ୍ତମାନ ସ୍ଥିତି କୁ ଦେଖି ରାଜ୍ୟ ସରକାର ରାଜ୍ୟରେ ନୂଆ ଗାଇଡ ଲାଇନ ଜାରି କରିଛନ୍ତି। ଏଥିରେ ପ୍ରକାଶ କରାଯାଇଛି ଯେ ରାଜ୍ୟରେ ସ୍କୁଲ କଲେଜ ବନ୍ଦ କରାଯାଇଛି। ଅନ ଲାଇନ ମୋଡରେ ଶିକ୍ଷା ବ୍ୟବସ୍ଥା ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ମହାମାରୀ ସମସ୍ତଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ସ୍କୁଲ ଫି ଛାଡକୁ ନେଇ ବାରମ୍ବାର ଅଭିଭାବକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଏହାପରେ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ରାୟ ଆସିବା ପରେ ଫି ଛାଡ କରାଯାଉନାହିଁ। ଏଥିପାଇଁ ଫି ଛାଡ଼ ଓ ଅନ୍ୟାନ୍ୟ ଦାବିରେ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଆଜିଠାରୁ ଭୁବନେଶ୍ୱର ଜିଲ୍ଲାପାଳ (ଏଡିଏମ କାର୍ଯ୍ୟାଳୟ) ଆଗରେ ଆମରଣ ଅନଶନ ଆରମ୍ଭ ହୋଇଛି। କୋର୍ଟର ରାୟକୁ କେହି ପାଳନ ନ କରୁଥିବାର ଅଭିଯୋଗ ଆଣିଛି ଅଭିଭାବକ ମହାସଂଘ । ଭୁବନେଶ୍ୱରର ୪ଟି ଇଂଲିଶ ମିଡ଼ିୟମ ସ୍କୁଲ କୋର୍ଟ ରାୟ ନମାନି ୨୦-୫୦% ଫି ବଢାଇଥିବା ଅଭିଯୋଗ କରିଛି ଜିଲ୍ଲା ଶାଖା। କରୋନା ବେଳେ ଫି ଦେଇ ନ ଥିବା ଛାତ୍ରଛାତ୍ରୀଙ୍କୁ ଅନଲାଇନ କ୍ଲାସ କରିବାକୁ ସୁଯୋଗ ନଦେବା, ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ଫର୍ମ ପୂରଣ ପାଇଁ ସୁଯୋଗ ଦିଆଯାଇନଥିବା ଅଭିଯୋଗ କରାଯାଇଛି। ଯାହାଫଳରେ ପିଲା ମାନଙ୍କ ଶିକ୍ଷାରେ ବହୁ ବିଭ୍ରାଟ ଦେଖାଦେଉଛି।ପିଲାମାନଙ୍କ ଶିକ୍ଷା ଉପରେ ଏହା ବହୁତ ଖରାପ ପ୍ରଭାବ ପକାଉଛି ବୋଲି ଅଭିଯୋଗ କରିଛି ସଂଘ।(ରିର୍ପୋଟ:ଆଶିଷ କୁମାର ରାଉତ)