ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ପାରଦ ଖସିବାରେ ଲାଗିଛି । ଏହାର ପ୍ରଭାବରେ ଶୀତ ଲହରୀ ସାରା ରାଜ୍ୟରେ ଜାରି ରହିଛି । ଗତ ୨୪ ଘଣ୍ଟାରେ ମଧ୍ୟ ଅଧିକାଂଶ ସ୍ଥାନର ତାପମାତ୍ରା ୧ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି । ତେବେ ୭ ତାରିଖ ପରଠୁ ପୁଣି ତାପମାତ୍ରା ବଢ଼ିବା ସହ ଶୀତର ପ୍ରକୋପ କମିବ ବୋଲି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ଆର୍ ବିଶ୍ଵାସ କହିଛନ୍ତି । ପାଣିପାଗ ବିଭାଗର ପୂର୍ବନୁମାନ ମୁତାବକ ଗତ ୨୪ ଘଣ୍ଟାରେ ରାଜ୍ୟର ସବୁ ଜିଲ୍ଲାରେ ପାଗ ପ୍ରାୟତଃ ଶୁଖିଲା ରହିଛି । ତେବେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ କୁହୁଡ଼ି ଦେଖିବାକୁ ମିଳିଥିଲା । ଗଜପତି , ସୋନପୁର , କନ୍ଧମାଳ ଓ ବଲାଙ୍ଗିରର କିଛି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ମାଲକାନଗିରିର କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଥିଲା । ଦାରିଙ୍ଗବାଡିରେ ତାପମାତ୍ରା କଥା ଦେଖିଲେ ସବୁ ଠାରୁ କମ ରହିଛି। ସେହିଭଳି କେନ୍ଦୁଝରରେ , ଫୁଲବାଣୀରେ ଅଞ୍ଚଳରେ ତାପମାତ୍ରା କମ ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ମଧ୍ୟ ଖସିଛି। ତେବେ ଆଉ କିଛି ଦିନ ମଧ୍ୟ ରାତ୍ରି ତାପମାତ୍ରାରେ ହ୍ରାସ ଦେଖାଯିବ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗାମୀ ୫ ଦିନ ରାଜ୍ୟରେ ମୁଖ୍ୟତଃ ପାଗ ଶୁଖିଲା ରହିବ । ତେବେ ଆଗାମୀ ଦୁଇଦିନରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଘନରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବ।ଏହାସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇ ପାରେ।