ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ନୂଆବର୍ଷ ଆରମ୍ଭରୁ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଥିବା ସତ୍ୟବ୍ରତ ସାହୁଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ବିଷ୍ଣୁପଦ ସେଠୀଙ୍କୁ ନୂଆ ଦାୟିତ୍ଵ ମିଳିଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ , କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ଭାବେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏବଂ ଓଡ଼ିଶା ରାଜ୍ୟ ଔଷଧ ନିଗମର ଅଧ୍ୟକ୍ଷ ଦାୟିତ୍ଵରେ ଥିବା ରାଜକୁମାର ଶର୍ମାଙ୍କୁ ସ୍ଵାସ୍ଥ୍ୟ ବିଭାଗର ଏସିଏସ୍ ଭାବେ ନିଯୁକ୍ତ କରାଯାଇଛି । ଏହାସହ ଔଷଧ ନିଗମର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୀବ ଚୋପ୍ରାଙ୍କୁ କୃଷି ଉତ୍ପାଦନ କମିଶନରଭାବେ ନିଯୁକ୍ତି ମିଳିଛି । ଏହାସହ ଶ୍ରୀ ଚୋପ୍ରା ଅତିରିକ୍ତ ଭାବେ ଗୃହ ବିଭାଗ ଏବଂ କୃଷି ଓ କୃଷକ ସଶସ୍ତୀକରଣ ବିଭାଗର ଏସିଏସ୍ ଦାୟିତ୍ୱ ତୁଲାଇବେ । ସେହିପରି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ତଥା ଅତିରିକ୍ତ ଭାବେ ଜମି ରେକର୍ଡ଼ ଓ ବନ୍ଦୋବସ୍ତ କମିଶନର ଦାୟିତ୍ଵରେ ଥିବା ମଧୁସୂଦନ ପାଢ଼ୀଙ୍କୁ ଓଡ଼ିଶା ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଏହାସହ ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ସଚିବ ତଥା ଅତିରିକ୍ତ ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଦାୟିତ୍ଵ ତୁଲାଉଥିବା ସତ୍ୟବ୍ରତ ସାହୁଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି । ଅନୁସୂଚିତ ଜନଜାତି , ଅନୁସୂଚିତ ଜାତି ଉନ୍ନୟନ , ସଂଖ୍ୟାଲଘୁ ଏବଂ ପଛୁଆବର୍ଗ ବିଭାଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରାଙ୍କୁ ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଅନ୍ୟପକ୍ଷରେ ଶିଳ୍ପ ବିଭାଗର ପ୍ରମୁଖ ସଚିବଓ ତଥା ଅତିରିକ୍ତ ଭାବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ସଚିବ ଏବଂ ଇପିକଲର ଚେୟାରମ୍ୟାନ୍ ଦାୟିତ୍ୱରେ ଥିବା ହେମନ୍ତ ଶର୍ମାଙ୍କୁ ଇଡ୍କୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ରାଜସ୍ଵ ବିଭାଗ ସଚିବ ବିଷ୍ଣୁପଦ ସେଠୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି । ଶ୍ରୀ ସେଠୀ ଅତିରିକ୍ତ ଭାବେ ବାଣିଜ୍ୟ ପରିବହନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ଦାୟିତ୍ଵ ତୁଲାଇବେ । କୃଷି ଏବଂ ସଶସ୍ତୀକରଣ ବିଭାଗର କମିଶନର ତଥା ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଓଏସ୍ଡି ଭାବେ ନିଯୁକ୍ତି ମିଳିଛି । ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ବିଭାଗର ସଚିବ କୃଷକ ସଶସ୍ତୀକରଣ ଭାସ୍କରଜ୍ୟୋତି ଶର୍ମାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି । ଇପିକଲ ଏମ୍ଡି ଭୁପିନ୍ଦର ସିଂ ପୁନିଆଙ୍କୁ ଇଡ୍କୋ ଏମ୍ଡି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସେହିପରି ଶ୍ରୀ ପୁନିଆ ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଏବଂ ଓଡ଼ିଶା ଚଳଚିତ୍ର ଉନ୍ନୟନ କର୍ପୋରେସନର ଏମ୍ଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇଛନ୍ତି ।