ସନଷ୍ଟାର ଟିଭି ବ୍ୟୁରୋ

କୋରାପୁଟ:ଦୁଷ୍କର୍ମକାରୀଙ୍କୁ ଗିରଫ ଓ ପୀଡିତାଙ୍କୁ ନ୍ୟାୟ ଦାବିରେ ବିଜେପି ପକ୍ଷରୁ ପୂର୍ବରୁ ରାସ୍ତାରୋକ ଓ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏଥର ବିଜେପି ପୁଣି ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦେଇଛି। ପୋଲିସ ଅପରାଧୀଙ୍କୁ ୪୮ ଘଣ୍ଟାରେ ଧରିବ ବୋଲି ସମୟ ନେଇଥିଲା, କିନ୍ତୁ ୪୮ ଘଣ୍ଟା ସମାପ୍ତ ହୋଇ ଯାଇଥିଲେ ସୁଦ୍ଧା ପୋଲିସ ଏଯାବତ ଅପରାଧୀଙ୍କୁ ଧରି ପାରିନାହିଁ। ଘଟଣା ଅନୁଯାୟୀ ଗତ ୨୪ ତାରିଖରେ କୋରାପୁଟ ଜିଲ୍ଲା ଜୟପୁର ବାମୁଣି ଗାଁରେ ରାତି ପ୍ରାୟ ଦେଢ଼ଟା ବେଳେ ଦୁଇ ଜଣ ଦୁର୍ବୁତ୍ତ ଜଣେ ମହିଳାଙ୍କ ଘରେ ପଶି ବନ୍ଧୁକ ଦେଖାଇ ତାଙ୍କ ତିନି ବର୍ଷର ଶିଶୁର ଗଳା ଚିପି ତାଙ୍କ ସ୍ୱାମୀଙ୍କ କାନ୍ଧରେ ବନ୍ଧୁକ ରଖି ଜୀବନରେ ମାରି ଦେବାକୁ ଧମକ ଦେଇ ସ୍ୱାମୀଙ୍କ ସମ୍ମୁଖରେ ହିଁ ମହିଳାଙ୍କୁ ଗଣ ଦୁଷ୍କର୍ମ କରିଥିଲେ । ଯାହାକି ଅତି ଲଜ୍ୟାକର ଓ ନିନ୍ଦନୀୟ ଘଟଣା। ଘଟଣା ପରଦିନ ପିଡିତାଙ୍କ ସ୍ୱାମୀ ଏନେଇ ଜୟପୁର ସଦର ଥାନାରେ ଏତଲା ଦେଇଥିଲେ । ତେବେ ଏତଲା ଗ୍ରହଣ କରିବା ସମୟ ବିଳମ୍ବହେବା ଅଭିଯୋଗ ବିଜେପି ଆଣିଥିବା ବେଳେ ପିଡୀତାଙ୍କ ସ୍ୱାମୀ ମେଡ଼ିକାଲ ରିପୋର୍ଟ ବି ବିଳମ୍ବରେ ଆସିଥିବା ଅଭିଯୋଗ କରିଛନ୍ତି। ଏବେ ଏଇ ଘଟଣାକୁ ନେଇ ଜୟପୁର ସହରରେ ଏକ ପ୍ରକାର କୋକୁଆ ଭୟର ବାତାଵରଣ ସୃଷ୍ଟି ହେଇଛି। ଏହା ଏବେ ଜିଲ୍ଲା ତଥା ରାଜ୍ୟରେ ଚହଳ ପକେଇଛି । କୋରାପୁଟ ଜିଲ୍ଲା ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏଭଳି କାଣ୍ଡକୁ କେହି ସହଜରେ ବିଶ୍ୱାସ କରିପାରୁ ନାହାଁନ୍ତି। ଯାହାକୁ ନେଇ ବାରମ୍ବାର ବିଜେପି ରାଜରାସ୍ତାକୁ ଓହ୍ଲଉଛି । ଏବଂ ଯାହାକୁ ଅଞ୍ଚଳବାସୀ ତଥା ରାଜ୍ୟବାସୀ ଘୋର ନିନ୍ଦା କରିବା ସହ ବିଜେପିର ଏହି ବନ୍ଦ ଡାକରାକୁ ବିପୁଳ ସମର୍ଥନ ଦେଇଥିବା ଦେଖିବାକୁ ମିଳିଛି । ତେବେ ଘଟଣାକୁ ଦୀର୍ଘ ସାତ ଦିନ ବିତିଯାଇଥିଲେ ବି ପୋଲିସର ହାତ ଖାଲି। ଯାହାକୁ ନେଇ ପୋଲିସ ଉପରେ ସନ୍ଦେହ ପ୍ରକଟ କରିଛି ବିଜେପି। ସେପଟେ ସଦର ଥାନା ଏସଡିପିଓ ଅରୁପ ଅଭିଷେକ ବେହେରା ଏହାକୁ ଖଣ୍ଡନ କରି କହିଛନ୍ତି ପୋଲିସ ତା କାମ କରୁଛି ଆଉ ଖୁବ ଶୀଘ୍ର ଅପରାଧୀଙ୍କୁ ଧରାଯିବ ବୋଲି ସୂଚନା ଦେଇଛନ୍ତି।(ରିର୍ପୋଟ: ବେଂକଟେଶ୍ୱର ରାଓ)