ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ୩ ଜାନୁଆରୀ , ୨୦୨୨ରେ ରାଜ୍ୟ ସରକାର ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ପୁନଃ ଖୋଲାଯିବା ନିମନ୍ତେ ଆଦେଶ ଜାରି କରିଥିଲେ । ଏହି ଆଦେଶ ମୁତାବକ , ପାଖାପାଖି ୨୩ ହଜାର ବିଦ୍ୟାଳୟ ଆସନ୍ତା ଜାନୁଆରୀ ୩ ତାରିଖ ( ସୋମବାର ) ଠାରୁ ଖୋଲିବାର ବନ୍ଦୋବସ୍ତ କରାଯାଉଥିଲା ଏବଂ ବାକି ୩୦୯୩ ବିଦ୍ୟାଳୟକୁ ଜାନୁଆରୀ ୧୦ ତାରିଖ ଦିନଠାରୁ ଖୋଲିଥାନ୍ତା । ଇତି ମଧ୍ୟରେ ପଦାଧିକାରୀମାନେ ବିଭିନ୍ନ ସ୍କୁଲ ଗସ୍ତକରି ବିଦ୍ୟାଳୟ ସହ ଜଡ଼ିତ ବ୍ୟକ୍ତିବିଶେଷମାନଙ୍କ ସହିତ ଆଲୋଚନା କରିଛନ୍ତି । ସାଂପ୍ରତିକ ସ୍ଵାସ୍ଥ୍ୟଜନିତ ପରିସ୍ଥିତି , ବିଶେଷ ଭାବରେ ବିଗତ ଦୁଇଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି କୁ ନେଇ ରାଜ୍ୟ ସରକାର ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି । କିନ୍ତୁ ଷଷ୍ଠ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଯଥାବିଧ ଜାରି ରହିବ । ଆସନ୍ତା ଜାନୁଆରୀ ୫ରୁ ୮ ତାରିଖ ପର୍ଯ୍ୟନ୍ତ ୧୦ମ ଶ୍ରେଣୀର ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ସମେଟିଭ୍ – ୧ ପରୀକ୍ଷା ପୂର୍ବନିର୍ଦ୍ଧାରିତ ସୂଚୀ ଅନୁଯାୟୀ ସାମାଜିକ ଦୂରତା ଅବଲମ୍ବନ କରାଯାଇ ଯଥାବିଧିରେ ଚାଲୁରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି।