ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପ୍ରଭାବରେ ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ବରଗଡ଼ ଜିଲ୍ଲା ବିଜେପୁରରେ ସର୍ବାଧକ ୬୧ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ବୌଦ୍ଧରେ ବର୍ଷା ସହ କୁଆପଥର ମାଡ଼ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ବର୍ତ୍ତମାନ ବିହାର ଉପରେ ଏକ ସାମୁଦ୍ରିକ ଝଡ଼ ସମୁଦ୍ରପତ୍ତନ ଠାରୁ ପ୍ରାୟ ୩.୧ କିଲୋମିଟର ଉପରେ ରହିଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ମୟୂରଭଞ୍ଜ , କେନ୍ଦୁଝର , ଦେବଗଡ଼ , ସୁନ୍ଦରଗଡ଼ , ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର କିଛି କିଛି ଅଞ୍ଚଳରେ ଆଗାମୀ ୨୪ ଘଣ୍ଟାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଅନ୍ୟପଟେ ଆଗାମୀ ୨୪ ଘଣ୍ଟାରେ ଘନ କୁହୁଡ଼ି ସମ୍ଭାବନା ଥିବାରୁ ରାଜ୍ୟର ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଦିଆଯାଇଛି । ଶୁକ୍ରବାରଠୁ ଶନିବାର ସକାଳ ଯାଏଁ ବାଲେଶ୍ଵର , ଭଦ୍ରକ , ଯାଜପୁର , କେନ୍ଦ୍ରାପଡ଼ା , କଟକ , ଜଗତସିଂହପୁର , ମୟୂରଭଞ୍ଜ , କେନ୍ଦୁଝର , ଅନୁଗୁଳ , ବୌଦ୍ଧ , ଢେଙ୍କାନାଳ , କନ୍ଧମାଳ , ନୟାଗଡ଼ , ଖୋର୍ଦ୍ଧା , ପୁରୀ , ବାଲେଶ୍ଵର , କଳାହାଣ୍ଡି ଓ ସୁବର୍ଣ୍ଣପୁର ଆଦି ଜିଲ୍ଲାକୁ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ରହିଛି । ଏଥିପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ କରାଇଛନ୍ତି ଏସଆରସି । ବିଶେଷ କରି ରାଜପଥରେ ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଦୁର୍ଘଟଣା ଏଡ଼ାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି ।