ସନଷ୍ଟାର ଟିଭି ବ୍ୟୁରୋ
ପୁରୀ : ରାଜ୍ୟରେ ବଢ଼ୁଛି କରୋନ ସଂକ୍ରମଣ। ଏହା ସହ ରାତି ପାହିଲେ ନୂଆବର୍ଷ। ନୂଆବର୍ଷ ରେ ଭିଡକୁ ନଜରରେ ରଖି ସରକାର ନୂଆ ଗାଇଡ ଲାଇନ ଜାରି କରିଛନ୍ତି। ତେବେ ନୂଆବର୍ଷରେ ଭକ୍ତଙ୍କ ପ୍ରବଳ ଭିଡହେବା ସମ୍ଭାବନା ଥିବାରୁ ଶୁକ୍ରବାରଠାରୁ ୩ ଦିନ ଯାଏଁ ଶ୍ରୀମନ୍ଦିର ବନ୍ଦ ରହିବ। ଶ୍ରଦ୍ଧାଳୁଙ୍କୁ ମିଳିବ ନାହିଁ ଜଗା ଦର୍ଶନ । ଚଳିତମାସ ୩୧ ତାରିଖ ସମେତ ଜାନୁଆରୀ ୧ ବର୍ଷର ପ୍ରଥମ ଦିନ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଭକ୍ତଙ୍କୁ ଅନୁମତି ଦିଆଯିବ ନାହିଁ । ୨ ତାରିଖ ରବିବାର ଯୋଗୁଁ ସେଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆଗାମୀ ୩ ତାରିଖ ( ସୋମବାର ) ଭକ୍ତମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇପାରିବେ । ସେଦିନ ହଜାର ହଜାର ଲୋକଙ୍କ ସମାଗମ ହେବା ସମ୍ଭାବନା ରହିଛି । ତେଣୁ ପୂର୍ତ୍ତ ବିଭାଗ ପକ୍ଷରୁ ବଡ଼ଦାଣ୍ଡରେ କାଠବାଡ ( ବ୍ୟାରିକେଡ୍ ) ନିମ କରାଯାଇଛି । ଗୁରୁବାର ଚଳିତବର୍ଷର ଶେଷ ଦର୍ଶନ ଯୋଗୁଁ ଭକ୍ତଙ୍କ ଭାରି ଭିଡ ଦେଖିବାକୁ ମିଳିଥିଲା । ସକାଳୁ ରାତି ମଧ୍ୟରେ ପ୍ରାୟ ୪୦ ହଜାର ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ଯାଇ ଦାରୁବ୍ରହ୍ମଙ୍କୁ ଦର୍ଶନ କରିଛନ୍ତି । ତେବେ ଶୁକ୍ରବାରଠାରୁ ରବିବାର ପର୍ଯ୍ୟନ୍ତ ୩ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ସମୟରେ ମହାପ୍ରସାଦ ଉପଲବ୍ଧ ହେବ । ଆଗ୍ରହୀ ଭକ୍ତମାନେ ସୁଆର , ମହାସୁଆର ଓ ସେବକଙ୍କୁ ବରାଦ ଦେଇ କିମ୍ବା ବୋଝିଆଙ୍କ ମାଧ୍ୟମରେ ମହାପ୍ରସାଦ କିଣିପାରିବେ । ସର୍ବସାଧାରଣ ଦର୍ଶନ ବନ୍ଦ ସମୟରେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ସହ ସମ୍ପୃକ୍ତ ଥିବା ସେବାୟତ , କର୍ମଚାରୀ ଏବଂ ସୁରକ୍ଷାକର୍ମୀଙ୍କୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ଦିଆଯିବ ।