ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ୱେଷ୍ଟର୍ୟ ଡିଷ୍ଟର୍ବାନ୍ସ ପ୍ରଭାବରେ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଶୁଷ୍କ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଏବଂ ରାଜସ୍ଥାନରୁ ତେଲେଙ୍ଗାନା ମଧ୍ୟରେ ସୃଷ୍ଟି ହୋଇଥିବା ଏକ ଟ୍ରଫ୍ ଲାଇନ ଯୋଗୁଁ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଛି । ଗତ ୨୪ ଘଣ୍ଟାରେ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି । ତେବେ ଆଗାମୀ ୨୪ ଘଣ୍ଟାରେ ଏହି ବର୍ଷାର ପରିମାଣ ବୃଦ୍ଧି ପାଇବ। ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହେବାନେଇ ପାଣିପାଗ ବିଭାଗ ଆକଳନ କରିଛି । ଏଥିପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି ହୋଇଥିବା ବେଳେ ସବୁ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସପିଙ୍କୁ ଚିଠି ଲେଖି ସଜାଗ କରିଛନ୍ତି ଏସଆରସି। ବରଗଡ଼ , ସମ୍ବଲପୁର , ଝାରସୁଗୁଡ଼ା , ସୁନ୍ଦରଗଡ଼ , ଦେବଗଡ଼ , ଅନୁଗୁଳ , କେନ୍ଦୁଝର ଓ ମୟୂରଭଞ୍ଜ ପ୍ରଭୃତି ୮ ଜିଲ୍ଲାରେ ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ହେବାସହ କୁଆପଥର ମାଡ଼ ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଣୁ ଫସଲ ସବୁକୁ ଘୋଡ଼ାଇବା ପାଇଁ ଚାଷୀଙ୍କୁ ସତର୍କ କରିବାକୁ ଏସଆରସି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଜାରି କରିଛନ୍ତି । ସେହିଭଳି ଆଗାମୀ ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବାକୁ ଥିବାବେଳେ ଏଥିପାଇଁ ମଧ୍ୟ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ କରାଇଛନ୍ତି ଏସ୍ଆରସି ।
ଘନ କୁହୁଡ଼ି ସକାଶେ ୩୦ରୁ ୩୧ ତାରିଖ ମଧ୍ୟରେ ସୁନ୍ଦରଗଡ଼ , ଝାରସୁଗୁଡ଼ା , ବରଗଡ଼ , ସମ୍ବଲପୁର , ଦେବଗଡ଼ , ଅନୁଗୁଳ , ଢେଙ୍କାନାଳ , କେନ୍ଦୁଝର , ମୟୂରଭଞ୍ଜ , ବାଲେଶ୍ଵର , ଯାଜପୁର , ଭଦ୍ରକ ଓ କଟକ ଆଦି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ସେହିଭଳି ୩୧ରୁ ୧ ତାରିଖ ମଧ୍ୟରେ ବାଲେଶ୍ବର , ଭଦ୍ରକ , ଯାଜପୁର , କେନ୍ଦ୍ରାପଡ଼ା , କଟକ , ଜଗତସିଂହପୁର , ଖୋର୍ଦ୍ଧା , ପୁରୀ , ନୟାଗଡ଼ , କନ୍ଧମାଳ , ବୌଦ୍ଧ , ଅନୁଗୁଳ , ଢେଙ୍କାନାଳ , କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ।