ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ବଙ୍ଗୋପସାଗରରୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ରାତ୍ରି ତାପମାତ୍ରାରେ ବୃଦ୍ଧି ଘଟିଛି । ଏହି ଜଳୀୟବାଷ୍ପପୂର୍ଣ୍ଣ ବାୟୁ , ବାୟୁମଣ୍ଡଳର ସ୍ଥିରତା ଏବଂ ଆକାଶ ନିର୍ମଳ ରହିବା ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ଘନ କୁହୁଡ଼ି ସହ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେଉଛି। ଗତ ୨୪ ଘଣ୍ଟାରେ କୁହୁଡ଼ି ସକାଶେ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି ହୋଇଥିବା ବେଳେ ଆଗାମୀ ୨୪ ଘଣ୍ଟା ପାଇଁ ମଧ୍ୟ ୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି ହୋଇଛି । ଏହି ଜିଲ୍ଲାଗୁଡ଼ିକ ହେଉଛି କନ୍ଧମାଳ , କଳାହାଣ୍ଡି , ବଲାଙ୍ଗିର , ଗଜପତି , ଗଞ୍ଜାମ , ମାଲକାନଗିରି ଏବଂ କୋରାପୁଟ । ଏସବୁ ଜିଲ୍ଲାର ଜିଲ୍ଲାପାଳ ଏବଂ ପୁଲିସ ପ୍ରଶାସନକୁ ଆଲର୍ଟ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ରାଜପଥରେ ଯେଭଳି କୁହୁଡ଼ି ସକାଶେ କୌଣସି ଦୁର୍ଘଟଣା ନଘଟେ ସେଥିପ୍ରତି ଆବଶ୍ୟକ ପଦକ୍ଷେପଗ୍ରହଣ କରିବାକୁ ନିର୍ଦ୍ଦେଶ ହୋଇଛି । ଗତ ୨୪ ଘଣ୍ଟାରେ ବଲାଙ୍ଗିର ଏବଂ କୋରାପୁଟରେ ଅତି ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିବା ବେଳେ ବାଲେଶ୍ଵର , ଅନୁଗୁଳ , ବାରିପଦା , କେନ୍ଦୁଝର , ଫୁଲବାଣୀ ଏବଂ ମାଲକାନଗିରିରେ ମଧ୍ୟ କୁହୁଡ଼ି ଅଧିକା ହେବାଯୋଗୁଁ ଭିଜିବିଲିଟି ୧୫୦ ମିଟରରୁ କମ୍ ରହିଥିଲା । ସେପଟେ ଉପକୂଳ ଅଞ୍ଚଳରେ ରାତ୍ରି ତାପମାତ୍ରା ସ୍ଵାଭାବିକ ତାପମାତ୍ରା ଠାରୁ ୦.୩ ରୁ ୩.୮ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଛି । ଅର୍ଥାତ୍ ଶୀତର ପ୍ରକୋପ କମିଛି । ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗର ପୂର୍ବନୁମାନ ମୁତାବକ ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ବରରେ ମଧ୍ୟମ ଧରଣର ବର୍ଷା ହୋଇଥିବାର ଦେଖିବାକୁ ମିଳିଛି ।