ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖୁଲା ରହିବ । ଯଦ୍ବାରା ଶୀତ ପ୍ରକୋପ ହ୍ରାସ ପାଇବ । ରାଜ୍ୟରେ ୧୧ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଅନ୍ୟାନ୍ୟ ସ୍ଥାନରେ ୧୦ରୁ ୧୫ ଡିଗ୍ରୀ ମଧ୍ୟରେ ରହିଥିବା ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ୨୭ ଓ ୨୮ରେ ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।ରାଜ୍ୟର ଥଣ୍ଡା ସ୍ଥାନ ଭାବେ ଫୁଲବାଣୀ ପରିଗଣିତ ହୋଇଛି । ପାହାଡିଆ ଅଞ୍ଚଳ ମଧ୍ୟରେ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରେକର୍ଡ କରାଯାଇଛି । ଡିସେମ୍ବର ୧୯ରୁ ଲାଗି ରହିଥିବା ଶୀତ ଲହରୀରେ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀକୁ ଖସି ଆସିଥିଲା । ରାତି ତାପମାତ୍ରା ବଢ଼ିବା ଦ୍ୱାରା ଦାରିଙ୍ଗବାଡି ଓ ଫୁଲବାଣୀରେ ଶୀତ ପ୍ରକୋପ କମୁଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ୦.୧ରୁ ୨.୪ ଡିଗ୍ରୀ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ୦.୨ରୁ ୨୨ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏଥରେ କୌଣସି ପରବର୍ତ୍ତନ ହେବା ସମ୍ଭାବନା କମ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ , କଳାହାଣ୍ଡି , ଗଞ୍ଜାମ , ପୁରୀ , ଖୋର୍ଦ୍ଧା , ନୟାଗଡ ଏବଂ କଟକ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ କୁହୁଡି ଦୃଶ୍ୟମାନ ହୋଇପାରେ । ୨୭ରେ ସୁନ୍ଦରଗଡ , ଝାରସୁଗୁଡା , କେନ୍ଦୁଝର , ସମ୍ବଲପୁର ଏବଂ ଦେବଗଡ ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ସମ୍ଭାବନ ରହିଛି । ୨୮ରେ ବର୍ଷା ପରିମାଣ ବୃଦ୍ଧି ପାଇପାରେ । ଏହିଦିନ ଝାରସୁଗୁଡା , କେନ୍ଦୁଝର , ମୟୂରଭଞ୍ଜ , ବାଲେଶ୍ବର , ଭଦ୍ରକ , ଯାଜପୁର , ଅନୁଗୋଳ , ଢେଙ୍କାନାଳ , ଦେବଗଡ , ସମ୍ବଲପୁର , ବରଗଡ ଏବଂ ସୁନ୍ଦରଗଡ ଜିଲ୍ଲାର କେତେକ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବା ସମ୍ଭାବନା ରହିଛି ।