ସନଷ୍ଟାର ଟିଭି ବ୍ୟୁରୋ
ଭୂବନେଶ୍ୱର : ରାଜ୍ୟ ସରକାରଙ୍କ ୫୮ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ବାରା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପରିଶ୍ରମ ପୋର୍ଟାଲର ଲୋକାର୍ପଣ କରାଯାଇଥିଲା । ବିଭିନ୍ନ ଶ୍ରମ ଆଇନ ଅନ୍ତର୍ଗତ ସମୁଦାୟ ୫୨ ଗୋଟି ସେବାକୁ ସମ୍ପୂର୍ଣ୍ଣ ସ୍ଵୟଂଚାଳିତ ପ୍ରକ୍ରିୟା ଦ୍ଵାରା ଜନସାଧାରଣଙ୍କୁ ସହଜ ଓ ସରଳ ଉପାୟରେ ଯୋଗାଇଦେବା ଉଦ୍ଦେଶ୍ୟରେ ପରିଶ୍ରମ ପୋର୍ଟାଲର ପରିକଳ୍ପନା କରାଯାଇ ପ୍ରଥମ ପର୍ଯ୍ୟାୟରେ ଏହି ପୋର୍ଟାଲ ଅଧ୍ଵନରେ ୨୨ଗୋଟି ସେବା ଅନ୍ଲାଇନ୍ ମାଧ୍ୟମରେ ଉପଲବ୍ଧ କରାଯାଇଥିଲା ଏବଂ ତାହା ସଫଳ ଭାବରେ କାର୍ଯ୍ୟକ୍ଷମ ହେଉଅଛି । ଦ୍ଵିତୀୟ ପର୍ଯ୍ୟାୟରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଏବଂ ଗ୍ରାମ୍ୟ ଉନ୍ନୟନ , ଓଡ଼ିଶାଙ୍କ ଦ୍ଵାରା ଆଉ ୩୦ଗୋଟି ସେବାର ଲୋକାର୍ପଣ କରାଯାଇଅଛି।
ପ୍ରଥମ ପର୍ଯ୍ୟାୟରେ ୫ ଗୋଟି ବିଭିନ୍ନ ଶ୍ରମ ଆଇନ ଅନ୍ତର୍ଗତ ୨୨ ଗୋଟି ସେବା ଯୋଗାଇ ଦିଆଯାଇଥିବାବେଳେ , ଦ୍ବିତୀୟ ପର୍ଯ୍ୟାୟରେ ଆଉ ୬ଗୋଟି ଶ୍ରମ ଆଇନ ଏବଂ ୨ଗୋଟି ନୂତନ ଯୋଜନା ଅଧ୍ଵନରେ ୩୦ଗୋଟି ସେବାର ଅନଲାଇନ ଆବେଦନ ତଥା ଅନୁମୋଦନ ନିମନ୍ତେ ବ୍ୟବସ୍ଥା କରାଯାଇଛି। ଏହାଦ୍ଵାରା ବିଭିନ୍ନ ବୃହତ୍ , ମଧ୍ୟମ ଏବଂ କ୍ଷୁଦ୍ର ଶିଳ୍ପ , ମୋଟର ପରିବହନ , ବିଡି ତିଆରି ଶିଳ୍ପ ଇତ୍ୟାଦିର ନିଯୁକ୍ତିଦାତା , ଶ୍ରମିକ ସଂଗଠନ ଏବଂ ବଏଲର୍ ଅପରେସନ୍ ଇଞ୍ଜିନିୟର ନିମନ୍ତେ ଆବେଦନକାରୀ ଇତ୍ୟାଦି ଅଂଶୀଦାରମାନେ ଖୁବ୍ ସହଜରେ ଆବଶ୍ୟକୀୟ ସେବାଗୁଡିକ ଉପଲବ୍ଧ କରିପାରିବେ । ଏଥିସହିତ ଶିଳ୍ପ ସଂସ୍ଥାଗୁଡିକରେ ଛୁଟି ତାଲିକା ଅନୁମୋଦନ , ସ୍ଥାୟୀ ଆଦେଶ ପ୍ରମାଣପତ୍ର ଅନୁମୋଦନ ଇତ୍ୟାଦି ସେବାଗୁଡିକୁ ପରିଶ୍ରମ ପୋର୍ଟାଲ ଅଧୀନରେ ସରଳୀକୃତ ଇ-ପ୍ରଣାଳୀ ଦ୍ଵାରା ତ୍ଵରାନିତ ଭାବେ ଏବଂ ସ୍ଵଚ୍ଛତାର ସହିତ ଯୋଗାଇ ଦେବା ହେତୁ , ଏହା ରାଜ୍ୟରେ ବ୍ୟବସାୟ ସ୍ଵଚ୍ଛନ୍ଦିକରଣକୁ ପ୍ରୋତ୍ସାହିତ କରିବ । ବର୍ତମାନ ସୁଦ୍ଧା ବିଭିନ୍ନ ଶିଳ୍ପଦ୍ୟୋଗୀ , ବାଣିଜ୍ୟ ବ୍ୟବସାୟ ପ୍ରତିଷ୍ଠାନ ଓ ଠିକାଦାର ଇତ୍ୟାଦି ଏହି ପୋର୍ଟାଲରେ ୧୧୮୫୪ ଗୋଟି ଦରଖାସ୍ତ ଦାଖଲ କରିଛନ୍ତି ଏବଂ ତନ୍ମଧ୍ୟରୁ ୧୦୫୭୯ ଗୋଟି ଦରଖାସ୍ତରେ ଆବଶ୍ୟକୀୟ ସେବା ମଞ୍ଜୁର କରାଯାଇଛି । ପରିଶ୍ରମ ପୋର୍ଟାଲରେ ତୃତୀୟ ପକ୍ଷ ଚାହିଁଲେ ଯେକୌଣସି ଅନୁମୋଦିତ ପ୍ରମାଣପତ୍ରକୁ ଦେଖିପାରିବେ । ଏଥି ସହିତ ଏହି ପୋର୍ଟାଲ ଏକ ସୁବ୍ୟବସ୍ଥିତ ପ୍ଲାଟଫର୍ମ ରୂପେ କାର୍ଯ୍ୟ କରିବ , ଯାହାଦ୍ଵାରା ବିଭାଗ ଅଧ୍ଵନରେ କାର୍ଯ୍ୟକାରୀ ହେଉଥିବା ଶ୍ରମ ଆଇନ , ଫର୍ମ , ବିଭିନ୍ନ ସେବା ନିମନ୍ତେ ଆବେଦନ ପ୍ରକ୍ରିୟା , ପୈଠର ପରିମାଣ ଇତ୍ୟାଦି ସମ୍ବନ୍ଧରେ ସମସ୍ତ ସୂଚନା ଅଂଶୀଦାରମାନେ ପାଇପାରିବେ । ଏହି ପରିଶ୍ରମ ପୋର୍ଟାଲରୁ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ବ କାରଖାନା , ପାଖାପାଖୁ ୫୦ ହଜାରରୁ ଊର୍ଦ୍ଧ୍ବ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ୱସଂଖ୍ୟକ ଅଂଶୀଦାର ଲାଭ ପାଇପାରିବେ। ଏହି ଭର୍ଟୁଆଲ୍ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଶାସନ ସଚିବ , ଉନ୍ନୟନ କମିଶନର ; ପ୍ରମୁଖ ଶାସନ ସଚିବ , ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ , ଓଡ଼ିଶା ; ଶ୍ରମ କମିଶନର , ଓଡ଼ିଶା ଏବଂ ବିଭାଗର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।