ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : କଟକ ଜିଲ୍ଲା ବଡ଼ମ୍ବା , ନରସିଂହପୁରରୁ ବାଙ୍କୀ ଓ ଖୋର୍ଦ୍ଧାକୁ ଗମନାଗମନରେ ସୁଗମ କରିବା ପାଇଁ ରାଜ୍ୟର ସବୁଠୁ ଦୀର୍ଘତମ ‘ ଟି ସେତୁ ‘ ଉଦ୍ଘାଟିତ ହେବାକୁ ଯାଉଛି । ଏହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେତୁ ଲୋକାର୍ପଣ ହେବା ପରେ ଦୁଇ ଜିଲ୍ଲାର ୫ ଲକ୍ଷ ଲୋକଙ୍କ ଗମନାଗମନର ସୁବିଧା ହେବ। ଲୋକଙ୍କୁ ଆଉ ଅଧିକ କିଲୋମିଟର ବୁଲି କରି ଯିବାକୁ ପଡିବ ନାହିଁ। ଏହା ବ୍ୟତୀତ ବାଙ୍କୀ , ବଡ଼ମ୍ବା ଓ ନରସିଂହପୁର ସେତୁ ଦ୍ଵାରା ଅଞ୍ଚଳବାସୀଙ୍କ ଆର୍ଥିକ ମାନଦଣ୍ଡ ମଧ୍ୟ ବୃଦ୍ଧି ପାଇବ । ୨୦୧୪ ଫେବ୍ରୁଆରୀ ୨୮ ତାରିଖରେ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୩୪ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ ଲାଗି ୧୧୧ କୋଟି ଟଙ୍କା ବିନିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ବଡ଼ମ୍ବା ବ୍ଲକ ଗୋପୀନାଥପୁରରେ ବାବା ସିଂହନାଥଙ୍କ ପ୍ରସିଦ୍ଧ ବାଲି ମକର ଯାତ୍ରା ପାଇଁ ମହାନଦୀରେ ୩ କିଲୋମିଟର ପର୍ଯ୍ୟନ୍ତ ମାଟି ରାସ୍ତା ନିର୍ମାଣ ହେଉଥିଲା । ଏଥିପାଇଁ ୧୪ରୁ ୧୫ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା । ପରେ ବର୍ଷା ଦିନେ ମାଟି ରାସ୍ତାଟି ଭାସି ଯାଉଥିଲା । ସେତୁ ନିର୍ମାଣ ପାଇଁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ସରକାରଙ୍କ ନିକଟରେ ବହୁ ବାର ଦାବି ରଖାଯାଉଥିଲା। ଯାହାକି ପୂରା ହେବାକୁ ଯାଉଛି।