ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି‘ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ’ ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦ ଠାରେ ଏହାର ଶୁଭାରମ୍ଭ କରିବେ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ ଜିଲ୍ଲାରେ ଏହା ଆରମ୍ଭ ହେବ । ଏହି ଯୋଜନା ଅଧିନରେ ସୁଦୂର ମାଲକାନଗିରିରୁ ମଧ୍ୟ ଗୁରୁତର ରୋଗୀଟିଏ କିଛି ଘଣ୍ଟାରେ ଭୁବନେଶ୍ୱର ଆସି ବଡ଼ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇପାରିବ । ଏଥିପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟସେବା ଯୋଜନାରେ ଏୟାର ଆମ୍ବୁଲାନ୍ସର ବ୍ୟବସ୍ଥା କରିବେ । ଏହି ଏୟାର ଆମ୍ବୁଲାନ୍ସରେ ସମସ୍ତ ଉନ୍ନତମାନର ସୁବିଧା ରହିବ । ଏଥିସହ କୌଣସି ସ୍ଥାନରେ ରୋଗୀଟିଏ ଅତି ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିଲେ ସେ ପାଇପାରିବ ବୋଲି ସୂଚନାମିଳିଛି। ସୋମବାର ପ୍ରାୟ ଦିନ ୧୦ଟା ୪୫ ମିନିଟ୍ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ବିମାନ ବନ୍ଦର ପରିସରରୁ ଏହି ଯୋଜନାଟିର ଶୁଭାରମ୍ଭ କରିବେ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ ଜିଲ୍ଲା କଳାହାଣ୍ଡି , ମାଲକାନଗିରି , ନବରଙ୍ଗପୁର ଓ ନୂଆପଡ଼ାରେ ଏହି ଯୋଜନାରେ ସେବା ଉପଲବ୍ଧ ହେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି । ବାୟୁ ସ୍ଵାସ୍ଥ୍ୟସେବା ଯୋଜନାରେ ପ୍ରଥମ ଏୟାର ଆମ୍ବୁଲାନ୍ସ ଭୁବନେଶ୍ବରରୁ ମାଲକାନଗିରି ଯିବ ବୋଲି ସୂଚନା ମିଳିଛି ।