ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ପୁରୀ ଗୋବର୍ଦ୍ଧନପୀଠ-ଶ୍ରୀଶଙ୍କରାଚାର୍ଯ୍ୟ ମଠ ପରିସରରେ ତୀର୍ଥ ରାଜ ମହୋଦଧି ଆରତୀ ର ୧୬ତମ ବାର୍ଷିକ ଉତ୍ସବ ର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଙ୍କ ଚିନ୍ମୟ କରକମଳରେ ପବିତ୍ର ପୌଷ ପୂର୍ଣ୍ଣିମା ତିଥିରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପ୍ରତ୍ୟହ ସଂଧ୍ୟା ଘ ୬:୩୦ ମିନିଟରେ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ସମ୍ପାଦିତ ହୋଇଆସୁଅଛି ।
ନିତ୍ୟ ସଂଧ୍ୟା ଆରତୀର ୧୬ତମ ବାର୍ଷିକ ଉତ୍ସବ ଆସନ୍ତା ଜାନୁୟାରୀ ୧୭ ତାରିଖ ପବିତ୍ର ପୌଷପୂର୍ଣ୍ଣିମା ଦିନ ଅନୁଷ୍ଠିତ ହେବ। ଏହି ଭବ୍ୟ ସମାରୋହ ପ୍ରାତଃ କାଳ ସଂକୀର୍ତ୍ତନ ରୁ ଆରମ୍ଭ ହୋଇ ମଧ୍ୟାହ୍ନରେ ସୁନ୍ଦରକାଣ୍ଡ ପାଠ ଓ ଅପରାହ୍ନ ରେ ପୂଜ୍ୟ ଗୋବର୍ଦ୍ଧନ ପୀଠାଧିଶ୍ୱର ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ସମସ୍ତ ମଠାଧୀଶ, ସାଧୁସନ୍ଥ, ବୈଷ୍ଣବ, ପୁରୀ ଗଜପତି ମହାରାଜା, ବରିଷ୍ଠ ସନ୍ଥଗଣ, ମାନ୍ୟବର ମନ୍ତ୍ରୀ, ସାଂସଦ, ବିଧାୟକ, ବରିଷ୍ଠ ପ୍ରଶାସକ, ଏବଂ ବାହାରୁ ଆସିଥିବା ଅତିଥି, ଆଗନ୍ତୁକ,ଏବଂ ସ୍ଥାନୀୟ ଅଧିବାସୀ ଓ ଭକ୍ତବୃନ୍ଦଙ୍କ ଦିବ୍ୟ ଉପସ୍ଥିତି ରେ ସମୁଦ୍ର ଆରତୀ ଅନୁଷ୍ଠିତ ହେବ । ଏହି ସଂଧ୍ୟା ଆରତୀ କାର୍ଯ୍ୟକ୍ରମ ଅପରାହ୍ନ ୪ଟା ରୁ ରାତି ୮ ଟା ପର୍ଯ୍ୟନ୍ତ ଚାଲୁ ରହିବ। ଏହି କାର୍ଯ୍ୟକ୍ରମ ରେ ଭକ୍ତ ସମାବେଶ ଓ ଉତ୍ସବ କିପରି ସୁନିୟନ୍ତ୍ରିତ ହେବ ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହିତ ସଞ୍ଚାଳନ ସମିତି ଆଲୋଚନା କରି ନିଷ୍ପତ୍ତି ଗ୍ରହଣ କରିବେ। ଏହି ଆଧ୍ୟାତ୍ମିକ ସଂଧ୍ୟା କୁ ଭବ୍ୟ କରିବା ପାଇଁ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାର ପ୍ରସ୍ତାବ ଗୃହୀତ ହୋଇଛି। କିନ୍ତୁ ପବିତ୍ର ମହୋଦଧି ଙ୍କ ଦିବ୍ୟ ଆରତୀ କୁ ଘରେ ଘରେ ପହଞ୍ଚାଇ ଏକ ଆଧ୍ୟାତ୍ମିକ ଜାଗରଣର ପ୍ରଚାର ପ୍ରସାର ର ସମସ୍ତ ଦାୟିତ୍ବ ପୀଠ ପରିଷଦ ଅନ୍ତର୍ଗତ ଆଦିତ୍ୟବାହିନୀ ଓ ଆନନ୍ଦ ବାହିନୀ ର ରାଷ୍ଟ୍ରୀୟ, ପ୍ରାନ୍ତୀୟ ଓ ଜିଲ୍ଲା କାର୍ଯ୍ୟକର୍ତ୍ତା ଙ୍କୁ ପ୍ରଦାନ କରାଯାଇଅଛି ।
ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ପରିସୀମା ଅନ୍ତର୍ଗତ ତୀର୍ଥରାଜ ମହୋଦଧିଙ୍କର ବିସ୍ତୀର୍ଣ୍ଣ ସ୍ବର୍ଣ୍ଣାଭ ବାଲୁକା ରାଶିରେ ପରିପୂର୍ଣ୍ଣ ବେଳାଭୂମିର ପ୍ରତିଟି ଧୂଳିକଣା ଭଗବତ ଶକ୍ତି ର ଦ୍ୟୋତକ ଏବଂ ଜୀବକୁ ଭଗବତମୁଖୀ କରିବା ପାଇଁ ସର୍ବ ସମର୍ଥ। ତେଣୁ ପ୍ରକୂତିର ପଞ୍ଚ ମହାଭୂତଙ୍କର ଉପାସନା ହିଁ ଭଗବାନଙ୍କର ଉପାସନା। ସୁତରାଂ ଏହି ତୀର୍ଥରାଜ ମହୋଦଧିଙ୍କୁ ଆବାଙ୍ ମାନସଗୋଚର , ଅବ୍ୟକ୍ତ ବ୍ରହ୍ମଙ୍କର ସଗୁଣ ସାକାର ବିରାଟ ଶରୀର କେବଳ ଜୀବର ଭଗବତ୍ ଭକ୍ତିକୁ ଅନନ୍ତ ଗୁଣରେ ବୃଦ୍ଧି କରିବାରେ ଏକମାତ୍ର ଧ୍ୟାନର କେନ୍ଦ୍ରବିନ୍ଦୁ ହେଉ । ଏହି ପବିତ୍ର ବେଳାଭୂମି ଅର୍ଚ୍ଚନ, ପୂଜନ, ବନ୍ଦନ, ଏବଂ ଆରାଧନା ର କେନ୍ଦ୍ର ହେଉ । କେବଳ ମନୋରଂଜନ ରେ ସିମୀତ ନହୋଇ ପର୍ଯ୍ୟଟକମାନେ ଭକ୍ତ ରେ ରୁପାନ୍ତର ହୁଅନ୍ତୁ ଏହି ଭାବନା ରେ ସମଗ୍ର ବିଶ୍ୱବାସୀଙ୍କୁ ଏହି ଆଧ୍ୟାତ୍ମିକ ସଂଧ୍ୟା କୁ ସାଦର ନିମନ୍ତ୍ରଣ ଜଣାଉଛି ସମୁଦ୍ର ଆରତୀ ସଞ୍ଚାଳନ ସମିତି, ଗୋବର୍ଦ୍ଧନ ପୀଠ। ( ରିର୍ପୋଟ:ଶଙ୍କର ସରକାର)