ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଗତକାଲି କଂଗ୍ରେସ ଏବଂ ପୋଲିସର ମୁହାଁ ମୁହିଁ ପ୍ରସଙ୍ଗକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମୀଳନି ଡାକିଛି କଂଗ୍ରେସ। ଗତକାଲି ଛାତ୍ର କଂଗ୍ରେସ କରିଥିବା ଶାନ୍ତିପୂର୍ଣ ଆନ୍ଦୋଳନକୁ ଦମନ କରିବାପାଇଁ ପୋଲିସକୁ ଯେଉଁଭଳି ମାତ୍ରାଧିକ ବଳ ପ୍ରୟୋଗ କରିବାକୁ ନିର୍ଦେଶ ଦିଆଗଲା ତାହାକୁ ପ୍ରଦେଶ କଂଗ୍ରେସ ତରଫରୁ ଦୃଢ଼ ନିନ୍ଦା କରାଯାଉଛି । ପୋଲିସକୁ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଦାଇତ୍ଵ ଦିଆଯାଇଛି । ସେମାନେ ଯେଉଁଭଳି ଏହି କର୍ତ୍ତବ୍ୟ ଠିକ ଭାବରେ କରିବେ ସେଥିପାଇଁ ସେମାନଙ୍କ ବିଭିନ୍ନ ଆଧୁନିକ ଉପକରଣ ଦିଆ ଯାଇଛି । ସେମାନେ ବ୍ୟାରିକେଡ଼କୁ ଜଗିବା କଥା । ସେଥିପାଇଁ ବ୍ୟାରିକେଡ଼ ପଛରେ ରହି ସେମାନେ ଆନ୍ଦୋଳନକାରୀଙ୍କୁ ସମ୍ମୁଖୀନ ହେବା କଥା । ଆବଶ୍ୟକ ପଡ଼ିଲେ ସେମାନେ water cannon ବ୍ୟବହାର କରି ପାରିଥାନ୍ତେ । ସେତିକିରେ ଯଦି ସ୍ଥିତି ସୁଧୁରି ନଥାନ୍ତା ତାହାହେଲେ ଲୁହବୁହା ବାଷ୍ପ ପ୍ରୟୋଗ କରି ପାରିଥାନ୍ତେ । କିନ୍ତୁ ପୋଲିସ କର୍ମଚାରୀମାନେ ବିଶୃଙ୍ଖଳିତ ହୋଇ ଅଣାୟତ୍ତ ହେଲେ । ଲୋକଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ। ଏପରିକି ସମ୍ପୂର୍ଣ ବେନିୟମ ଭାବେ କଂଗ୍ରେସ ଭବନରେ ପ୍ରବେଶ କରି ଆକ୍ରମଣ କଲେ । ଏଭଳି ଆଇନଶୃଙ୍ଖଳା ପରିଚାଳନା କେଉଁ ଆଇନରେ ଲେଖା ନାହିଁ । ଯଦି ପୋଲିସ କର୍ମଚାରୀ ଏଭଳି ଆଚରଣ ଦେଖେଇବେ ତେବେ ସେମାନଙ୍କୁ ପ୍ରଶିକ୍ଷଣ ଦେବାପାଇଁ କୋଟିକୋଟି ଅର୍ଥ ବରବାଦ ହେଉଛି କାହିଁକି ? କୋଟି କୋଟି ଅର୍ଥ ଶ୍ରାଦ୍ଧ କରି water cannon , tear smoke ଇତ୍ୟାଦି କିଣା ଯାଉଛି କାହିଁକି ? ବଡ଼ ବଡ଼ ଅଫିସର ଅଛନ୍ତି କାହିଁକି ? ଏହା ସୂଚାଇ ଦେଉଛି ଯେ ପୋଲିସ କମିଶନର ଓ ଡି.ସି.ପି ଜାଣି ଏସବୁ ଘଟଣା ଘଟିଛି ବା ସେମାନେ ଅପାରଗ । ଡି.ସି.ପି କହୁଛନ୍ତି ସେ ନଥିଲେ । ଯଦି ନଥିଲେ , କାହିଁକି ନଥିଲେ । ଯଦି ଥାଇ ମିଛ କହୁଛନ୍ତି ତାହାଲେ ଅଧିକ ଗୁରୁତର । ତେଣୁ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିବୁ ଓ ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିବୁ ବୋଲି କହିଛି କଂଗ୍ରେସ। ଯଦି ସରକାର ବା ଶାସକ ଦଳ ଭାବୁଥାନ୍ତି ଯେ ଆମେ ଏଭଳି ପୋଲିସ ଜୁଲୁମ ଯୋଗୁଁ ଡରିଯିବୁ ଓ ଆନ୍ଦୋଳନରୁ ବିରତ ହେବୁ , ତାହାଲେ ସେମାନେ କଂଗ୍ରେସ ଦଳକୁ ବୁଝି ନାହାନ୍ତି । ଆମେ ଇଂରେଜ ଶାସକଙ୍କ ବନ୍ଧୁକ ମୁନକୁ ଡରି ନଥିଲୁ । ଆମେ ଲଢେଇ ଜାରି ରଖୁବୁ । ମମୀତା ମେହେରଙ୍କୁ ନ୍ୟାୟ ଦେବାପାଇଁ ଆମେ ସାଧ୍ୟ ମତେ ଉଦ୍ୟମ କରିବୁ । ଯେ ପର୍ଯ୍ୟନ୍ତ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦେଇ ନାହାନ୍ତି ଓ ମମୀତାକୁ ନ୍ୟାୟ ମିଳିନି ଆମ ଆନ୍ଦୋଳନ ଜାରି ରହିବ ବୋଲି କଂଗ୍ରେସ ସୂଚନା ଦେଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ,କଂଗ୍ରେସ୍ ବିଧାୟକ ଦଳ ନେତା ନରସିଂହ ମିଶ୍ର , ମିଡ଼ିଆକମିଟିର ଅଧକ୍ଷ ଗଣେଶ୍ଵର ବେହେରା , ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ୍ ଙ୍କ ସମେତ ଆହାତ ଛାତ୍ର ଉପସ୍ଥିତି ରହିଥିଲେ।(ରିର୍ପୋଟ:ଆଶିଷ କୁମାର ରାଉତ)