ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ପଞ୍ଚାୟତ ନିର୍ବାଚନ ପୂର୍ବରୁ ସଶକ୍ତ ହେଉଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ନୀତି, ଆଦର୍ଶ ଓ ଉନ୍ନତି ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡି ପାରିବାରରେ ସାମିଲ ହେଉଛନ୍ତି ବିରୋଧୀ । ଗତକାଲି ତଳସରା ପୁର୍ବତନ ବିଧାୟକ କଂଗ୍ରେସ୍ ର ଟାଣୁଆ ଆଦିବାସୀ ନେତା ପ୍ରଫୁଲ୍ଲ ମାଝୀ ବିଜେଡ଼ି ରେ ସାମିଲ ହେଇଛନ୍ତି । ଆଜି ମଧ୍ୟ ବିଜୁ ଯୁବ ଜନତା ଦଳର କାର୍ଯ୍ୟାଳୟରେ ବିଜେଡିରେ ମିଶିଛନ୍ତି ତେଲକୋଇର ବିଜେପି ନେତା ଧନୁର୍ଜୟ ସିଦ୍ଧୁ । ସମର୍ଥକଙ୍କ ସହ ଏକ ବିରାଟ ପଟୁଆରରେ ଭୁବନେଶ୍ୱର ବିଜେଡି କାର୍ଯ୍ୟାଳୟରେ ଧନୁର୍ଜୟ ବିଧିବଦ୍ଧ ଭାବେ ଆଜି ଦଳରେ ସାମିଲ୍ ହୋଇଛନ୍ତି । ଯାହା କେନ୍ଦୁଝର ବିଜେଡିକୁ ଆହୁରି ସଶକ୍ତ କରିବା ସହ ପଞ୍ଚାୟତ ନିର୍ବାଚନରେ ଏହା ପ୍ରତିଫଳିତ ହେବ ।
ଧନୁର୍ଜୟ ୨୦୦୪ରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୦୯ ଓ ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ଭାବେ ତେଲକୋଇ ଆସନରୁ ନିର୍ବାଚନ ଲଢ଼ି ହାରି ଯାଇଥିଲେ । ପରେ ବିଜେପିରେ ଯୋଗଦେଇ ୨୦୧୯ରେ ସେ ତେଲକୋଇ ଆସନରୁ ପ୍ରାର୍ଥୀ ହୋଇଥିଲେ, ହେଲେ ହାରି ଯାଇଥିଲେ ।
ବିଜେପି ନେତା ଧନୁର୍ଜୟ ସିଦ୍ଧୁ ଙ୍କ ସମେତ ଅନେକ କର୍ମୀ ଙ୍କୁ ବିଜୁ ଜନତା ଦଳ ପରିବାରକୁ ସ୍ଵାଗତ କରିଥିଲେ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ମୁଖ୍ୟମନ୍ତ୍ରୀ ରାଜ୍ୟ ବିକାଶ ପାଇଁ କାର୍ଯ୍ୟ କରିଥିବା ବେଳେ ବିଜେପି ଓ କଂଗ୍ରେସ ବିକାଶ ଚାହୁଁ ନାହାନ୍ତି । ତେଣୁ ସେ ବିଜେଡିରେ ମିଶିଲେ ବୋଲି କହିଛନ୍ତି ଧନୁର୍ଜୟ । (ରିର୍ପୋଟ:ଆଶିଷ କୁମାର ରାଉତ)