ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ମମିତା ମେହେର ହତ୍ୟା ମାମଲାକୁ ନେଇ ତୁମ୍ବିତୋଫାନ କରୁଛି ବିଜେପି। ଏଭଳି ଏକ ସମ୍ବେଦନଶୀଳ ମାମଲାରେ ରାଜନୈତିକ ଫାଇଦା ହାସଲ ପାଇଁ ବିଧାନସଭା ଭିତରେ ଓ ବାହାର ନାଟକବାଜି କରୁଛି ବିଜେପି। ହେଲେ ସେପଟେ ମମିତା ହତ୍ୟା ମାମାଲରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ବଞ୍ଚାଇବା ଲାଗି ବିଜେପି ନେତାମାନେ ସାଙ୍ଘାତିକ ଷଡଯନ୍ତ୍ର କରୁଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମୀଳନିରେ ପ୍ରକାଶ କରିଛନ୍ତି ବିଜେଡି ର ବରିଷ୍ଠ ନେତା ପ୍ରତାପ ଦେବ। ଦଳର ଜଣେ ସକ୍ରିୟ ସଦସ୍ୟ ତଥା ଜଣାଶୁଣା ନେତା ମୋହନ ଲାଲ୍ ଶର୍ମାଙ୍କୁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଗୋବିନ୍ଦ ସପକ୍ଷରେ କେସ୍ ଲଢ଼ାଉଛନ୍ତି। ଏଥିରୁ ବିଜେପି ନେତାଙ୍କ ଅସଲ ଚେହାରା ପଦାରେ ପଡ଼ିଯାଇଛି। ମମିତାଙ୍କୁ ନ୍ୟାୟ ପାଇଁ ଚିତ୍କାର କରୁଥିବା ବିଜେପି ନେତାମାନେ କେବଳ ଯେ ହୀନ ରାଜନୈତିକ ସ୍ବାର୍ଥ ହାସଲ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ତାହା ସ୍ପଷ୍ଟ ହୋଇଯାଇଛି।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପିର ପୂର୍ବତନ ସଭାପତି ବସନ୍ତ ପଣ୍ଡା ଏବଂ ଦଳର ଅନ୍ୟ ବରିଷ୍ଠ ନେତାଙ୍କର ଘନିଷ୍ଠ ଭାବେ ସେ ବେଶ୍ ଜଣାଶୁଣା। ତାଙ୍କ ଭଳି ଦଳର ଜଣେ ସକ୍ରିୟ ନେତାଙ୍କୁ ଜହ୍ଲାଦ ଗୋବିନ୍ଦ ସାହୁକୁ ବଞ୍ଚାଇବା ଲାଗି ବିଜେପିର ବରିଷ୍ଠ ନେତାମାନେ ନିୟୋଜିତ କରିବା ପଛରେ ଯେ ଏକ ବଡ଼ ଷଡଯନ୍ତ୍ର ରହିଛି, ତାହା ଜଳଜଳ ଦିଶିଯାଉଛି।
ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ରହିଛି ବୋଲି ଅଭିଯୋଗ କରୁଥିବା ବିଜେପି ସେ ବାବଦରେ କୌଣସି ପ୍ରମାଣ ଦେଇପାରୁ ନାହିଁ। ଅଥଚ ଅଭିଯୁକ୍ତ ଗୋବିନ୍ଦକୁ ଫାଶୀଦଣ୍ଡରୁ ରକ୍ଷା କରିବାକୁ ପ୍ରମାଣ ଯୋଗାଡ଼ କରି ତଦନ୍ତକୁ ଦଗହରା କରିବାକୁ ବିଜେପି ଅପଚେଷ୍ଟା କରୁଛି।
ପୂର୍ବରୁ ନୟାଗଡ଼ ପରୀ ହତ୍ୟା ମାମଲାରେ ମଧ୍ୟ ବିଜେପି ନେତାମାନେ ଏହି ଭଳି ହୀନ ରାଜନୀତି କରିଥିଲେ। ଏସ୍ଆଇଟି ତଦନ୍ତରୁ ଅଭିଯୁକ୍ତ ଧରା ପଡ଼ିଯିବା ପରେ ମାନ୍ୟବର ହାଇକୋର୍ଟ ତଦନ୍ତରେ ସନ୍ତୋଷ ପ୍ରକାଶ କରିଥିଲେ। ମାତ୍ର ରାଜନୈତିକ ସ୍ଵାର୍ଥ ଲାଗି ଅଭିଯୁକ୍ତକୁ ବଞ୍ଚାଇବାକୁ ସେତେବେଳେ କୋର୍ଟରେ ବଡ଼ ଓକିଲଙ୍କୁ କିଏ ନିଯୁକ୍ତ କରିଥିଲା ?
ବାରମ୍ଵାର ଏମିତି ଶବ ଉପରେ ବିଜେପି ରାଜନୀତି କରୁଥିଲା ବୋଲି ସମସ୍ତେ ଜାଣିଥିଲେ। ମାତ୍ର ଏବେ ଅଭିଯୁକ୍ତକୁ ଖସାଇବାକୁ ଷଡ଼ଯନ୍ତ୍ର କରୁଥିବା କଥା ପଦାରେ ପଡିଯିବା ପରେ ବିଜେପି ନେତାଙ୍କ ମୁହଁରୁ ମୁଖା ଖସି ପଡ଼ିଛି। ଏହା ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ। ବିଜେପି ଏ ପାପ କୋଉଠି ଧୋଇବ ତାହା ଏବେ ରାଜ୍ୟବାସୀ ପ୍ରଶ୍ନ କରୁଛନ୍ତି। ଏପଟେ ମମିତାକୁ ନ୍ୟାୟ ମିଳୁ ବୋଲି ରାଜନୀତି ଆଉ ସେପଟେ ଅଭିଯୁକ୍ତ ଗୋବିନ୍ଦକୁ ଖସାଇବାକୁ ବିଜେପି ଷଡଯନ୍ତ୍ର କରୁଥିବାର ସାମ୍ବାଦିକ ସମ୍ମିଳନୀ ରେ ପ୍ରମାଣ ରଖିଛନ୍ତି ବିଜେଡି ର ବରିଷ୍ଠ ନେତା ପ୍ରତାପ ଦେବ।(ରିର୍ପୋଟ:ଆଶିଷ କୁମାର ରାଉତ)