ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର : ଓଡିଶା ମାଟିରେ ବିଜୟ ରଚିଛି ଆର୍ଜେଣ୍ଟିନା । କନିଷ୍ଠ ପୁରୁଷ ହକି ବିଶ୍ବକପ୍ରେ ବିଜୟ ହୋଇଛି ଆର୍ଜେଣ୍ଟିନା । କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳା ଯାଇଥିବା ଫାଇନାଲରେ ଆର୍ଜେଣ୍ଟିନା ଲାଉଟାରୋ ଡୋମିକ୍ଙ୍କ ହ୍ୟାଟ୍ରିକ୍ ଗୋଲ ବଳରେ ୬ଥର ବିଜେତା ଜର୍ମାନୀକୁ ୪ – ୨ ଗୋଲ୍ରେ ପରାସ୍ତକରି ୨ୟ ଥର ପାଇଁ ଟ୍ରଫି ଜିତିପାରିଛି । ଆର୍ଜେଣ୍ଟିନା ପୂର୍ବରୁ ୨୦୦୫ରେ ପ୍ରଥମଥର ପାଇଁ କନିଷ୍ଠ ପୁରୁଷ ହକି ବିଶ୍ଵକପ ବିଜେତା ହୋଇଥିଲା । ଅନ୍ୟପକ୍ଷରେ ୮ମ ଥର ଫାଇନାଲ ଖେଳିଥିବା ଜର୍ମାନୀ ୧୯୭୯ ପରେ ୨ୟ ଥର ପାଇଁ ଉପବିଜେତାରେ ସନ୍ତୁଷ୍ଟ ହୋଇଛି । ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ୨ – ୦ ଗୋଲରେ ଆଗୁଆ ରହିଥିଲା । 
ଦ୍ୱିତୀୟାଦ୍ଧରେ ଜର୍ମାନୀ ମ୍ୟାଚକୁ ଫେରିବା ନେଇ ବହୁତ ଉଦ୍ୟମ କରିଥିଲା । ଶେଷ ମିନିଟ୍ରେ ଆର୍ଜେଣ୍ଟିନା ପକ୍ଷରୁ ଅଗଷ୍ଟିନ ଫ୍ରାଙ୍କା ଗୋଲ ଦେଇ ଦଳକୁ ୪ – ୨ ଗୋଲରେ ବିଜୟୀ କରାଇଥିଲେ । ତେବେ ଗତ କାଲିର ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେତା ଆର୍ଜେଣ୍ଟିନାକୁ ଟ୍ରଫି ପ୍ରଦାନ କରିଥିଲେ । ଉଦ୍ଯାପନୀ ଉତ୍ସବରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା , ଆନ୍ତର୍ଜାତିକ ହକି ମହାସଂଘର ସଭାପତି ନରିନ୍ଦର ବାତ୍ରା , ଅଲିମ୍ପିଆନ ଦିଲୀପ ତିର୍କୀ ପ୍ରମୁଖ ଯୋଗ ଦେଇଥିଲେ ।