ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘୂର୍ଣ୍ଣିଝଡରେ ପରିଣତ ହେବା ସହ ଶୁକ୍ରବାର ଗୋପାଳପୁର ଠାରୁ ୫୩୦ କିମି ଦକ୍ଷିଣ – ଦକ୍ଷିଣ ପୂର୍ବ ଦୂରରେ କେନ୍ଦ୍ରୀଭୂତ ହୋଇଛି ଏବଂ ଏହା ଓଡ଼ିଶାର ଚିଲିକା – ପୁରୀ ଆଡକୁ ମୁହାଁଉଥିବା ଶିକ୍ଷା ଓ ଅନୁସନ୍ଧାନ ( ସୋଆ ) ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି ସିଷ୍ଟମ୍ ଘଂଟା ପ୍ରତି ୨୫ କିମି ବେଗରେ ଉତ୍ତର – ପଶ୍ଚିମ ଦିଗ ଆଡକୁ ଗତି କରୁଥିବା ବେଳେ ଏହାର ଗତି ପରିବର୍ତ୍ତନ କରି ଉତ୍ତର – ପଶ୍ଚିମ ଦିଗ ଆଡକୁ ମୁହାଁଇବା ସହ ଗଞ୍ଜାମ ଉପକୂଳରୁ ୫୦ ରୁ ୭୫ କିମି ଦୂରରୁ ଉତ୍ତର ପୂର୍ବ ଦିଗରେ ଗତିକରି ଡିସେମ୍ବର ୫ ତାରିଖ ସକାଳେ ଚିଲିକା – ପୁରୀ ଉପକୂଳରେ ପହଂଚିବ ବୋଲି ସିଇସିର ନିର୍ଦ୍ଦେଶକ ଡଃ ଶରତ ଚନ୍ଦ୍ର ସାହୁ କହିଛନ୍ତି । ଉପକୂଳ ଛୁଇଁବା ସମୟରେ ପବନର ବେଗ ଘଂଟା ପ୍ରତି ୬୦ କିମି ରହିବ । ଉପକୂଳ ଛୁଇଁବା ପରେ ଏହା ଦୁର୍ବଳ ହୋଇପାରେ । ସେହିପରି ବିଶାଖାପାଟଣା ଏବଂ ପୁରୀ ମଧ୍ୟରେ ସ୍ଥଳଭାଗ ମେଘାଚ୍ଛନ୍ନ ହୋଇଥିବା ଡଃ ସାହୁ ସୂଚନା ଦେଇଛନ୍ତି । ଏହାର ପ୍ରଭାବରେ ଭୁବନେଶ୍ଵର ସହର ଏବଂ ଏହାର ଆଖପାଖ ଅଂଚଳରେ ଡିସେମ୍ବର ୪ ତାରିଖ ସକାଳୁ ବର୍ଷା ଆରମ୍ଭ ହେବା ସହ ଏହା ଦିନ ତମାମ ଲାଗି ରହିବ । ପୁରୀ , ନୟାଗଡ , ଖୋର୍ଦ୍ଧା , କଟକ , ଜଗତସିଂହପୁର , କେନ୍ଦ୍ରାପଡା , ଯାଜପୁର ଏବଂ ଭଦ୍ରକ ପ୍ରଭୃତି ଜିଲ୍ଲାରେ ଡିସେମ୍ବର ୪ ତାରିଖରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଏହା ୨୪ ଘଂଟା ପର୍ଯ୍ୟନ୍ତ ଜାରି ରହିବ । ସେହିପରି ଡିସେମ୍ବର ୫ ତାରିଖ ସକାଳୁ ଯାଜପୁର , ବାଲେଶ୍ବର , ଭଦ୍ରକ , କେନ୍ଦ୍ରାପଡା , ମୟୁରଭଞ୍ଜ ଏବଂ କେନ୍ଦୁଝର ପ୍ରଭୃତି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇ ୨୪ ଘଂଟା ପର୍ଯ୍ୟନ୍ତ ଜାରି ରହିପାରେ । କେତେକ ଜିଲ୍ଲାରେ ଅତ୍ୟଧିକ ୨୫ ସେମି ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଥିବା ଡଃ ସାହୁ କହିଛନ୍ତି । ଏହା ଡିସେମ୍ବର ୬ ତାରିଖରେ ଓଡ଼ିଶା ଉପକୂଳରୁ ମୁହାଁଇ ପୂର୍ବାହ୍ନ ସୁଦ୍ଧା ବାଲେଶ୍ଵର ଉପକୂଳ ଅତିକ୍ରମ କରିବ । ଡିସେମ୍ବର ୫ ଓ ୬ ତାରିଖରେ କେନ୍ଦ୍ରାପଡା , ଭଦ୍ରକ , ଖୋର୍ଦ୍ଧା , କଟକ , ବାଲେଶ୍ଵର , ଯାଜପୁର ଏବଂ ମୟୁରଭଞ୍ଜ ପ୍ରଭୃତି ଜିଲ୍ଲାରେ ଘଂଟା ପ୍ରତି ୪୫ ରୁ ୫୫ କିମି ବେଗରେ ପବନ ହେବାର ସମ୍ଭାବନା ଥିବା ଡଃ ସାହୁ କହିଛନ୍ତି ।