ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଏମ୍ବିବିଏସ୍ ଏବଂ ବିଡିଏସ୍ ପାଠ୍ୟକ୍ରମରେ ବିଦ୍ୟାର୍ଥୀ ନାମ ଲେଖାଇବା ପାଇଁ ଆସନ୍ତା ୨୯ରୁ ସଞ୍ଚାର ( ଅନଲାଇନ୍ ) ପରାମର୍ଶ କାର୍ଯ୍ୟକ୍ରମ ( କାଉନସେଲିଂ ) ଆରମ୍ଭ ହେବ । ଏ ସଂକ୍ରାନ୍ତରେ ଗୁରୁବାର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ( ଓଜେଇଇ ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନଭେମ୍ବର ପ୍ରଥମ ସପ୍ତାହରେ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ( ନିଟ୍ ) ଫଳ ପ୍ରକାଶ ପାଇଥିଲା । ଫଳ ପ୍ରକାଶର ଗୋଟିଏ ସପ୍ତାହ ପରେ କାଉନସେଲିଂ ଆରମ୍ଭ ହୋଇଯିବା କଥା ; କିନ୍ତୁ ଚଳିତ ବର୍ଷ ଏଥରେ ବିଳମ୍ବ ହୋଇଛି । ୨୯ରୁ ଅନଲାଇନ୍ କାଉନସେଲିଂ କରିବାକୁ ଓଜେଇଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କାଉନସେଲିଂ ସମ୍ବନ୍ଧୀୟ ସବିଶେଷ ବିବରଣୀ ଓଜେଇଇ ୱେବସାଇଟ୍ ( www . ojee.nic.in/www.odishajee.com ) ରେ ପ୍ରକାଶ ପାଇବ । ନିଟ୍ ରାଙ୍କ୍ ହାସଲ କରିଥିବା ବିଦ୍ୟାର୍ଥୀ ୱେବସାଇଟ୍ ଲଗଇନ କରି କାର୍ଯ୍ୟସୂଚୀ ଦେଖିବାକୁ ଓଜେଇଇ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି । ଏସ୍ସିବି ଭେଷଜ ମହାବିଦ୍ୟାଳୟ , ଏମ୍କେସିଜି ଭେଷଜ ମହାବିଦ୍ୟାଳୟ , ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ , ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ବୀର ସୁରେନ୍ଦ୍ର ସାଏ ଭେଷଜ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ , ଫକିର ମୋହନ ଭେଷଜ ମହାବିଦ୍ୟାଳୟ ଏବଂ ସନ୍ଥ ଭୀମଭୋଇ ଭେଷଜ ମହାବିଦ୍ୟାଳୟ ସହିତ ହାଇଟେକ୍ ( ବେସରକାରୀ ) ର ଭୁବନେଶ୍ବର ଏବଂ ରାଉରକେଲା ଭେଷଜ ମହାବିଦ୍ୟାଳୟରେ ଉପଲବ୍ଧ ଥିବା ଏମ୍ବିବିଏସ୍ ସ୍ଥାନରେ ନାମଲେଖା ଯିବ । ବିଡିଏସ୍ ପାଠ୍ୟକ୍ରମ ନିମନ୍ତେ ଏସ୍ସିବି ଦନ୍ତ ଚିକିତ୍ସା ମହାବିଦ୍ୟାଳୟ ଏବଂ ହାଇଟେକ ଭୁବନେଶ୍ଵର ଦନ୍ତ ଚିକିତ୍ସା ମହାବିଦ୍ୟାଳୟରେ ଉପଲବ୍ଧ ଥିବା ସ୍ଥାନରେ ନାମଲେଖା ହେବ । ଚଳିତ ବର୍ଷ ଶ୍ରୀ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାରେ ପ୍ରଥମ କରି ଏମବିବିଏସ୍ ପାଠ୍ୟକ୍ରମରେ ନାମଲେଖା ଯିବ । ସରକାରୀ ଏବଂ ହାଇଟେକ୍ ଭେଷଜ ମହାବିଦ୍ୟାଳୟଗୁଡ଼ିକ ରାଜ୍ୟ ସରକାରଙ୍କ ନିୟମାବଳୀ ଅନୁଯାୟୀ , ନିଟ୍ ରାଙ୍କ ତାଲିକା ଆଧାରରେ ଶିକ୍ଷାବର୍ଷ ୨୦୨୧ – ୨୨ ପାଇଁ ନାମଲେଖା ଯିବ । ପରାମର୍ଶ କାର୍ଯ୍ୟକ୍ରମ ( କାଉନସେଲିଂ ) ପ୍ରକ୍ରିୟା ତିନୋଟି ପର୍ଯ୍ୟାୟରେ ପରିଚାଳିତ କରାଯିବ ।