ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଗୁରୁବାର ଦିନ ସନ୍ଧ୍ୟାରେ ବିଭିନ୍ନ ସମସ୍ୟା ନେଇ ଭୁବନେଶ୍ଵର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରଶ୍ନ ପଚାରିବାକୁ ଯାଇଥିବା ସ୍ଥାନୀୟ ବସ୍ତିର ମହିଳାମାନଙ୍କୁ ଯେଉଁ ଭଳି ଭାବେ ସାଂସଦଙ୍କ ଘରୋଇ ସୁରକ୍ଷା ବାହିନୀ ଆକ୍ରମଣ ଓ ଅସଦାଚରଣ କଲେ ତାହାକୁ ଯେତେ ନିନ୍ଦା କଲେ ବି କମ୍ ହେବ । ଏଭଳି କାର୍ଯ୍ୟକୁ କେଉଁ ସ୍ଵାର୍ଥରେ ରାଜ୍ୟ ବିଜେପି ସଭାପତି ସମର୍ଥନ କରୁଛନ୍ତି ବୋଲି ପଚାରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ରାଜ୍ୟ ବିଜେପି ସଭାପତିଙ୍କୁ ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ପୂର୍ବରୁ ତାଙ୍କ ନିଜ ଦଳର କର୍ମୀମାନେ ମଧ୍ୟ ଅପରାଜିତାଙ୍କ ଏହି ଘରୋଇ ସୁରକ୍ଷା ବାହିନୀ ଗୁଣ୍ଡାମାନଙ୍କ ଆକ୍ରମଣରୁ ବର୍ତ୍ତି ନାହାନ୍ତି । ଏଥୁରୁ ଗୋଟିଏ ଘଟଣା ଗତକାଲି ଘଟିଛି ଏବଂ ଏ ନେଇ ଥାନାରେ ମାମଲା ବି ହୋଇଛି । ଏମାନେ ଏମିତି ଉତ୍ପାତ କଲେଣି ଯେ ତାଙ୍କ ଦଳର ନେତାଙ୍କୁ ବି ଆଉ ଛାଡିବେନି । ତେଣୁ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି ମୁଖ୍ୟ ହିସାବରେ ସାଂସଦଙ୍କ ଏଭଳି ଆସାମାଜିକ ଆଚରଣକୁ ନିୟନ୍ତ୍ରଣ ନକରି କେଉଁ ବାଧ୍ୟବାଧକତାରେ ସାଂସଦଙ୍କ ସପକ୍ଷରେ ମତ ରଖିଲେ ତାହା ଆମକୁ ବିସ୍ମିତ କରିଛି ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ।