ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ସାରା ରାଜ୍ୟରେ ପାଗରେ ପରିବର୍ତ୍ତନ ଆସୁଛି । ପାଗରେ ପରିବର୍ତ୍ତନ ଆସିବା ଯୋଗୁଁ ରାତି ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆଗାମୀ ୨ ରୁ ୩ ଦିନ ମଧ୍ୟରେ ରାତିରେ ପାରଦ ୩ ରୁ ୫ ଡିଗ୍ରୀ ଯାଏଁ ଖସିବ । ବିଭିନ୍ନ ଅଞ୍ଚଳରେ ଶୀତ ପ୍ରକୋପ ଜାରି ରହିବ । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣ କୁହୁଡି ଦୃଶ୍ୟମାନ ହେବା ସମ୍ଭାବନା ଥିବାବେଳେ କିଛି ସ୍ଥାନରେ ସକାଳ ଏବଂ ରାତି ସମୟରେ ଦୃଶ୍ୟମାନ ଦୂରତା ୧୦୦୦ରୁ ୨୦୦ ମିଟର ରହିପାରେ । ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ ଅନୁଯାୟୀ , ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମଧରଣ କୁହୁଡି ଦୃଶ୍ୟମାନ ହେବାକୁ ଥିବାବେଳେ ଢେଙ୍କାନାଳ , ଅନୁଗୋଳ , କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କେତେକ ଅଞ୍ଚଳରେ କୁହୁଡି ଦୃଶ୍ୟମାନ ହେବା ସମ୍ଭାବନା ରହିଛି । ଦାରିଙ୍ଗବାଡିକୁ ଛାଡ଼ି ଦେଲେ ବାକି ସମସ୍ତ ଅଞ୍ଚଳରେ ରାତି ତାପମାତ୍ରା ୧୯ ଡିଗ୍ରୀ ଉପରେ ରହିଛି । ଆଜି ଦାରିଙ୍ଗବାଡ଼ିରେ ତାପମାତ୍ରା ୧୪.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।