ସନଷ୍ଟାର ଟିଭି ବ୍ୟୁରୋ

ପୁରୀ:ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ପାଇଁ ବୁଧବାର ଭିତ୍ତିପ୍ରସ୍ତର ସ୍ଥାପନ କରିବା ପାଇଁ ପୁରୀ ରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ୩ ଦିନ ଧରି ଚାଲିଥିବା ବୈଦିକ ଯଜ୍ଞର ଆଜି ପୂର୍ଣ୍ଣାହୂତି । ଯଜ୍ଞରେ ପୂଜିତ ଶିଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାପନ କରି ଏହି ଐତିହ୍ୟ କରିଡର କାର୍ଯ୍ୟର ଶୁଭାରମ୍ଭ କରିବେ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ଵତୀ , ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସମେତ ୨ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରୀମଣ୍ଡଳର ସମସ୍ତ ସଭ୍ୟ ସାମିଲ ହୋଇଛନ୍ତି । ପୁରୀ ସାଂସଦ ଏବଂ ଜିଲ୍ଲାର ୬ଜଣ ବିଧାୟକ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି। ଏହି ଐତିହ୍ୟ କରିଡର ପାଇଁ ଜମି ଦେଇଥିବା ୧୩୧ଜଣଙ୍କ ସମେତ ୧୬ ମଠମହନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଶିଳା ଦେଇ ସମ୍ମାନିତ କରିଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀ ପରିକ୍ରମା ମାର୍ଗ ମଡେଲ ଅନାବରଣ କରିଛନ୍ତି। ଦିନ ୧୦ଟା ୩୦ରେ ଶିଳା ସ୍ଥାପନ କରାଯାଇଛି । ଏହାପରେ ପୁଷ୍ପାଞ୍ଜଳି ପ୍ରଦାନ ସହ ପୂର୍ଣ୍ଣାହୂତି ଦିଆଯିବ । ସେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ପରିକ୍ରମା କରିବା ପରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଦିନ ୧୦ଟାରୁ ୧୨ଟା ମଧ୍ୟରେ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହେବ । ଏଥପାଇଁ ପ୍ରାୟ ୩ଶହ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପୁରୀଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୫ ପ୍ଲାଟୁନ ପୁଲିସ ବାହିନୀ , ୩ଜଣ ଅତିରିକ୍ତ ଏସ୍ପି , ୧୦ ଉପଆରକ୍ଷୀ ନିରୀକ୍ଷକ ,୪୦ ଜଣ ପୁଲିସ ନିରୀକ୍ଷକ ଏବଂ ୧୦୦ ସହକାରୀ ପୁଲିସ ନିରୀକ୍ଷକଙ୍କୁ ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯାଇଛି । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଦୋକାନ ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି । ଶିଳାନ୍ୟାସ ପରେ ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବ ଟାଟା ପ୍ରକଳ୍ପ । ୧୮ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି । ଏଥିପାଇଁ ୩୩୧ କୋଟି ୩୮ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ମେଘନାଦ ପ୍ରାଚୀରଠାରୁ ୭୫ମିଟର ମଧ୍ୟରେ ପ୍ରତିଷ୍ଠା ହେବ ପରିକ୍ରମା ମାର୍ଗ ତଥା ଐତିହ୍ୟ କରିଡର ।