ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ରାଜ୍ୟ ମନ୍ତ୍ରପରିଷଦ ବୈଠକ ସହିତ କ୍ୟାବିନେଟ୍ ବୈଠକ ଆଜି ଅନୁଷ୍ଠିତ ହେବ । ଡିସେମ୍ବର ପହିଲାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏଥିରେ କେଉଁସବୁ ଗୁରୁତ୍ଵପୂର୍ଣ୍ଣ ବିଷୟବସ୍ତୁ ରହିବ ଏବଂ ସରକାର କେତେ ଟଙ୍କାର ଅତିରିକ୍ତ ବଜେଟ ଆଣିବେ ସେନେଇ ଅପରାହ୍ନ ସାଢ଼େ ୫ଟାରେ ମନ୍ତ୍ରୀ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯିବ । ଏହି ବୈଠକ ପରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ବୈଠକରେ ୨୧ଟିରୁ ଊର୍ଦ୍ଧ୍ବ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିବ ବୋଲି ସୂଚନା ମିଳିଛି । ରାଜ୍ୟ ସରକାର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣକୁ ପ୍ରାଥମିକତା ଦେଇ ସ୍ଵତନ୍ତ୍ର ନୀତି ଆପଣାଇଛନ୍ତି । ଏଥିଲାଗି ଜବରଦଖଲ ଉଚ୍ଛେଦ ସହିତ ଶ୍ରୀଲିଙ୍ଗରାଜ ମନ୍ଦିରର ଭିତ୍ତିଭୂମି ଓ ଶ୍ରୀବୃଦ୍ଧି କରାଯାଉଛି । ଐତିହ୍ୟ ବିକାଶ କାର୍ଯ୍ୟକ୍ରମରେ ବିନ୍ଦୁସାଗର , ପାପନାଶିନୀ , ଦେବୀ ପାଦହରା , ଗଙ୍ଗା ଯମୁନା ଓ କୋଟିତୀର୍ଥର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରାଯିବ । ଏଥିଲାଗି ଆବଶ୍ୟକ ଅର୍ଥ ଆଇସିଟି ଏବଂ ଆଇଓସିଏଲ ବହନ କରିବେ । ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ତତ୍ତ୍ଵାବଧାନରେ ପୁଷ୍କରିଣୀଗୁଡ଼ିକର ଖନନ କାର୍ଯ୍ୟ କରାଯିବ । ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ଆଗାମୀ ଦିନରେ ଶ୍ରୀଲିଙ୍ଗରାଜ ମନ୍ଦିର ଉନ୍ନତିକରଣ ଲାଗି ଆଉ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବ । ଏଥିଲାଗି ଆଜି ସରକାର ଅଧ୍ୟାଦେଶ ଆଣିବାକୁ ସ୍ଥିର କରିଛନ୍ତି । ଏହାସହିତ ରାଜସ୍ବ ବିଭାଗ ପକ୍ଷରୁ ଜମି ଜମା ସଂକ୍ରାନ୍ତ ସ୍ବତନ୍ତ୍ର ନୀତି ଏବଂ ସୂଚନା ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ ଏକ ସ୍ଵତନ୍ତ୍ର ଯୋଜନା ସମ୍ପର୍କରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ଏହାବାଦ୍ ଅର୍ଥ , ସାଧାରଣ ପ୍ରଶାସନ , ପୂର୍ତ୍ତ , ପଞ୍ଚାୟତିରାଜ , ନଗର ଉନ୍ନୟନ ଓ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିବ ବୋଲି ଜଣାପଡ଼ିଛି ।