ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଆଗାମୀ ୨୯ ତାରିଖରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ । ଏହା ପୂର୍ବରୁ ବିରୋଧୀ ଦଳନେତାମାନଙ୍କ ଦିଲ୍ଲୀ ଗସ୍ତ ଆରମ୍ଭ ହୋଇଯାଇଛି । ଶୀତ ଅଧିବେଶନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଆସିଛନ୍ତି । ତେବେ ସୂଚନାଅନୁଯାୟୀ ମମତା ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ରହିବେ । ଏହି ତିନି ଦିନ ମଧ୍ୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଗୃହମନ୍ତ୍ରୀଅମିତ ଶାହଙ୍କ ସମେତ ଅନ୍ୟ କେତେଜଣ ବରିଷ୍ଠ ନେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ ବୋଲି ଜଣାପଡୁଛି। ବିଜେପି ସାଂସଦ ବରୁଣ ଗାନ୍ଧିଙ୍କ ସହ ମମତା ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ , ବିଧାନସଭା ନିର୍ବାଚନରେ ହ୍ୟାଟ୍ରିକ ବିଜୟ ପରେ ଏହା ମମତାଙ୍କ ଦ୍ବିତୀୟ ଦିଲ୍ଲୀ ଗସ୍ତ ସୀମା ସୁରକ୍ଷା ବାହିନୀର କେତେକ ପଦକ୍ଷେପ ସମେତ ରାଜ୍ୟର କେତେକ ସମସ୍ୟା ସମ୍ପର୍କରେ ମମତା ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି ।