ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଅବପାତର ରୂପ ନେଲା ଲଘୁଚାପ। ଦକ୍ଷିଣ – ପଶ୍ଚିମ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇଛି । ଉତ୍ତର ତାମିଲନାଡୁ ଉପକୂଳରେ ଏହା ଅବପାତର ରୂପ ନେଇଥିବାବେଳେ ଚେନ୍ନାଇଠୁ ୩୧୦ କିମି ଦୂରରେ ରହିଛି । ଏହା ପ୍ରଭାବରେ ଗୁରୁବାରଠାରୁ ରାଜ୍ୟର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ପରିମାଣ ବୃଦ୍ଧିପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ଵାସ କହିଛନ୍ତି । ସୂଚନା ମୁତାବକ , ଗୁରୁବାରଠାରୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାହେବ । ବିଶେଷ କରି ଗଞ୍ଜାମ , ଗଜପତି , ମାଲକାନଗିରି , କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାରେ ବର୍ଷା ପରିମାଣ ସ୍ୱାଭାବିକ୍ଠାରୁ ଅଧିକ ରହିବା ସମ୍ଭାବନା ଥିବାବେଳେ ବାକି କିଛି ଜିଲ୍ଲାର ସ୍ଥାନେ ସ୍ଥାନେ ବର୍ଷା ହେବା ନେଇ ପୂର୍ବାକଳନ ପ୍ରକାଶ ପାଇଛି ।
ସେହିପରି ୨୦ରେ ବର୍ଷାର ପରିମାଣ ସାମାନ୍ୟ ବଢ଼ିବ । କୋରାପୁଟ , ମାଲକାନାଗିରି ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଥିବା ବେଳେ ୨୧ ତାରିଖରେ ରାଜ୍ୟ ସାରା ଗୋଟିଏ ୨ଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ୨୨ରୁ ବର୍ଷା ପରିମାଣ ସାମାନ୍ୟ ହ୍ରାସ ପାଇବ। ସିଇସି ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ , ଅବପାତ ପ୍ରଭାବରେ ନଭେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ ରହିବା ସହ କେତେକ ସ୍ଥାନରେ ସାମାନ୍ୟ ବର୍ଷା , ଘଡ଼ଘଡ଼ି ଓ ବଜ୍ରପାତ ହେବାର ସମ୍ଭାବନା ରହିଛି ।ଏହାସହ ରାତ୍ରି ତାପମାତ୍ରା ମଧ୍ୟ ହ୍ରାସ ପାଇବ।