ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ବ୍ରିଟିସ୍ କବଳରୁ ଭାରତକୁ ମୁକ୍ତ କରିବା ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଦେଇଥିବା ବିପ୍ଳବୀ ବିର୍ସା ମୁଣ୍ଡାଙ୍କର ଅବଦାନ ଅବିସ୍ମରଣୀୟ। ୨୫ ବର୍ଷର ଜୀବନରେ ସେ ଆଦିବାସୀଙ୍କ ଅଧିକାର ତଥା ଦେଶର ସ୍ବାଧୀନତା ପାଇଁ ଅବିଶ୍ରାନ୍ତ ବିଦ୍ରୋହ ଚଳାଇ ଶେଷରେ ସହିଦ ହୋଇଯାଇଥିଲେ। ୧୮୭୫ ମସିହା ନଭେମ୍ବର ୧୫ରେ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାର ଉଲିହାତୁରେ ଜନ୍ମ ଗ୍ରହଣ କରିଥିଲେ ବିର୍ସା। ପିତା ସୁଗନା ଓ ମାତା କରମୀ ଙ୍କ ପୁତ୍ର ଥିଲେ ବିର୍ସା । ସେ ସ୍କୁଲ ବେଳରୁ ହିଁ ବ୍ରିଟିସ୍ ଅତ୍ୟାଚାରରୁ ଆଦିବାସୀମାନଙ୍କୁ ମୁକ୍ତ କରିବା ପାଇଁ ସଂଘର୍ଷ ଆରମ୍ଭ କରିଥିଲେ। ବ୍ରିଟିସ୍ ବିରୋଧରେ ସତବର ଉତ୍ତୋଳନ କରିବାରୁ ତାଙ୍କୁ ୨ବର୍ଷ କାରାଦଣ୍ଡ ବଦ୍ୟ ଭୋଗିବାକୁ ପଡିଥିଲା। ସେ ଜେଲରୁ ବାହାରିବା ପରେ ମୁଣ୍ଡାମାନଙ୍କ ନେତୃତ୍ବ ନେଇ ବିଦ୍ରୋହକୁ ଉଗ୍ର ଓ ବ୍ୟାପକ କରିଥିଲେ। ବିର୍ସା ୧୯୦୦ମସିହାରେ ରାଞ୍ଚି ଜେଲରେ ମୃତ୍ୟୁ ବରଣ କରିଥିଲେ। ସେ ଆଦିବାସୀଙ୍କର ଧର୍ମାନ୍ତରଣକୁ ବିରୋଧ କରି ଆଦିବାସୀ ସଂସ୍କୃତିର ପୁନରୁଦ୍ଧାର କରିଥିଲେ।ଆଜି ତାଙ୍କ ଜନ୍ମ ଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି ଯେ ମୁଣ୍ଡା ଆଦିବାସୀଙ୍କ ଅଧିକାରର ସୁରକ୍ଷା ତଥା ସ୍ୱାଧୀନତା ସଂଗ୍ରାମକୁ ପ୍ରେରଣା ଦେବା ପାଇଁ ସର୍ବଦା ସଂଘର୍ଷ କରୁଥିଲେ। ଦେଶ ପ୍ରତି ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ ବୋଲି ମୋଦୀ ଏକ ଟୁଇଟ୍ରେ କହିଛନ୍ତି। ଏହାସହ ସରକାର ଘୋଷଣା କରିଛନ୍ତି ଯେ ମୁଣ୍ଡାଙ୍କ ଜନ୍ମ ବାର୍ଷିକୀ ଜାନଜତିଆ ଗୌରବ ଦିବସ ଭାବରେ ପାଳନ କରାଯିବ। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଏକ ସଂଗ୍ରହାଳୟର ଉଦଘାଟନ କରିଛନ୍ତି।