ସନଷ୍ଟାର ଟିଭି ବ୍ୟୁରୋ
ପୁରୀ:ଚାଷୀ ମୁଣ୍ଡରେ ଚଡକ। ଏକର ଏକର ଧାନ ଜମିରେ ଲହଡ଼ି ମାରୁଛି ବର୍ଷାଜଳ। ପାଚିଲା ଧାନରେ ଗଜା। ଗତ କିଛିଦିନ ହେବ ଚକଡା ପୋକ ଚାଷୀର ଚିନ୍ତା ବଢ଼ାଇଥିଲା ବେଳେ ବର୍ତ୍ତମାନ ଦୁଇଦିନ ଧରି ଲାଗିରହିଥିବା ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀର ଦୁଃଖକୁ ଦ୍ବିଗୁଣିତ କରିଛି। ପୁରୀଜିଲ୍ଲା ପିପିଲିର ଅନେକ ଧାନ ଚାଷୀ ଏବେ ହତାଶ। କାହିଁକିନା ଚକଡା ପୋକ ଧାନ ଗଛକୁ ଖାଇ ଧରାଶାୟୀ କରିଥିବା ଯୋଗୁଁ ଧାନ କାଟିବା ପାଇଁ ଚାଷୀ ବାଧ୍ୟ ହୋଇଛି। ଏପରିକି ଚକଡା ପୋକ ଦାଉରେ ଧାନଗଛ ଦୁର୍ବଳ ହୋଇଥିଲା ବେଳେ ଧାନ ମଧ୍ୟ ଶୁଷ୍କ ହୋଇ ଅମଳ କମ ହେବା ନେଇ ଚାଷୀ ଆଶଙ୍କା କରିଛି।
ଯଦି ଚାଷୀ ଧାନ ନ କଟୁଛି ତେବେ ଗଛରୁ ଧାନ କେଣ୍ଡା ଛିଣ୍ଡି ପଡ଼ିବା ଯୋଗୁଁ ବହୁତ ଧାନ ନଷ୍ଟ ହେବ। ଅନ୍ୟପକ୍ଷେ ଚାଷୀ ତରବରିଆ ଭାବେ ଧାନ କାଟିଥିବା ବେଳେ ଏବେ ଲଘୁଚାପଜନିତ ଲଗାଣ ବର୍ଷା ଚାଷୀକୁ ସର୍ବସ୍ୱାନ୍ତ କରିଛି। ଚାଷୀ ତୁଣ୍ଡ ଝାଳ ମୁଣ୍ଡରେ ମାରି ହାତ ଉଧାରୀ ଲୋନ କରି ବହୁ କଷ୍ଟରେ ଫସଲ ଡେରିଛି। ହେଲେ ଅମଳ କରିବା ବେଳକୁ ଲଗାଣ ବର୍ଷାରେ ଏକର ଏକର ପାଚିଲା ଧାନ ଏବେ ଗଜା ହୋଇଛି। ଯାହାକୁ ନେଇ ଚାଷୀ ଚିନ୍ତାରେ ଥିବା ବେଳେ ତାର ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଛି। ବିଶେଷକରି ଚକଡା ପୋକ ହେଉ ଅବା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କ୍ଷତି ସହିଥିବା ଚାଷୀଙ୍କୁ ସରକାରୀ ସହାୟତା ଦେବାକୁ ଦାବୀ କରିଛନ୍ତି କ୍ଷତିଗ୍ରସ୍ତ ଚାଷୀ ।(ରିର୍ପୋଟ: ଶଙ୍କର ସରକାର)