ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆସନ୍ତା ୧୬ ତାରିଖ ମଙ୍ଗଳବାର ଦିନ ସ୍ଥାନୀୟ ଜୟଦେବ ଭବନଠାରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ଆନୁକୂଲ୍ୟରେ କେନ୍ଦ୍ର ସରକାରଙ୍କ ଦୂରଦର୍ଶନ କେନ୍ଦ୍ର, ଆକାଶବାଣୀ, ପ୍ରେସ୍ ଇନ୍ଫରମେସନ ବ୍ୟୁରୋ (ପିଆଇବି), ରିଜିଓନାଲ ଆଉଟ୍ରିଚ୍ ବ୍ୟୁରୋ (ଆରଓବି) ଏବଂ ଏକାଡ଼େମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଇନ୍ଫରମେସନ ଟେକ୍ନୋଲୋଜି (ଅମିତ୍)ର ମିଳିତ ଆନୁକୂଲ୍ୟରେ ଜାତୀୟ ପ୍ରେସ୍ ଦିବସ ପାଳନ କରାଯିବ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକଙ୍କୁ ‘ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ-୨୦୨୧’ ପ୍ରଦାନ କରାଯିବା ସହିତ ଅନ୍ୟ ରାଜ୍ୟର ବିଭିନ୍ନ ସମ୍ବାଦପତ୍ରର ୫ଜଣ ସମ୍ପାଦକଙ୍କୁ ଜାତୀୟସ୍ତରରେ ‘ରାଷ୍ଟ୍ରୀୟ ସାମ୍ବାଦିକ ଗୌରବ ସମ୍ମାନ-୨୦୨୧’ରେ ସମ୍ମାନିତ କରାଯିବ । ଏହାଛଡ଼ା ୨୦୨୦ ମସିହାରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ହାସଲ କରିଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରୀ ଅଲିଭା ଅଭିଲିପ୍ସାଙ୍କୁ ‘ରବି ନାରାୟଣ ମହାନ୍ତି ସ୍ମାରକୀ ସମ୍ମାନ-୨୦୨୧, ସଂସ୍କୃତି ବିଶ୍ୱବିଦ୍ୟାଳୟର ଛାତ୍ରୀ ପାୟଲ ପଟ୍ଟନାୟକଙ୍କୁ ‘ଗୋପାଳ ମିଶ୍ର ସ୍ମାରକୀ ସମ୍ମାନ-୨୦୨୧’, କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରୀ ଅବନ୍ତିକା ମିଶ୍ରଙ୍କୁ ‘ରାମହରି ମିଶ୍ର ସ୍ମାରକୀ ସମ୍ମାନ-୨୦୨୧’, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରୀ ମନସ୍ୱିନୀ ମିଶ୍ରଙ୍କୁ ‘ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ସମ୍ମାନ-୨୦୨୧’, ଢେଙ୍କାନାଳସ୍ଥିତ ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ୍ ମାସ୍ କମ୍ୟୁନିକେଶନ (ଆଇଆଇଏମ୍ଏସ୍)ର ଓଡ଼ିଆ ବିଭାଗର ଛାତ୍ରୀ ଯାଜ୍ଞସେନୀ ଧଳଙ୍କୁ ‘ଦିଲ୍ଲୀପ ଶତପଥୀ ସ୍ମାରକୀ ସମ୍ମାନ-୨୦୨୧’ ଏବଂ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଅର୍ପିତା ନନ୍ଦଙ୍କୁ ‘ଅରିନ୍ଦମ୍ ଦାଶ ସ୍ମାରକୀ ସମ୍ମାନ-୨୦୨୧’ରେ ସମ୍ମାନିତ କରାଯିବ । ‘ଓ’ଟିଭିର ବରିଷ୍ଠ ସାମ୍ବାଦିକ ଅରିନ୍ଦମ୍ ଦାଶ ମହାନଦୀର ମୁଣ୍ଡଳୀ ଆନିକଟସ୍ଥିତ ପାଣିସୁଅରେ ଫଶି ରହିଥିବା ଏକ ଜଙ୍ଗଲୀ ହାତୀକୁ ଉଦ୍ଧାର କରିବାକୁ ଯାଇ ଓଡ୍ରାଫ ଟିମ୍ର ଏକ ଡ଼ଙ୍ଗାରୁ ଓଲଟିପଡ଼ି ପ୍ରାଣ ହରାଇଥିବାରୁ, ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ସାମ୍ବାଦିକତା ବିଭାଗରେ ଏମ୍ଜିଏମ୍ସି ପରୀକ୍ଷାରେ ସର୍ବୋଚ୍ଚ ସ୍ଥାନ ହାସଲ କରିଥିବା ଜଣଙ୍କୁ ଅରିନ୍ଦମ୍ ଦାଶ ସ୍ମାରକୀ ସମ୍ମାନରେ ସମ୍ମାନିତ କରାଯିବା ପାଇଁ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ନିଷ୍ପତ୍ତି ନେଇଛି ।
ରାଜ୍ୟର ୨୭ଜଣ ବରିଷ୍ଠ ସାମ୍ବାଦିକ ମହେଶ୍ୱର ମୂଳିଆ, ଦୁଲାଲ ମିଶ୍ର, ପ୍ରଶାନ୍ତ କୁମାର ପଟ୍ଟନାୟକ, ପ୍ରଦୋଷ ପଟ୍ଟନାୟକ, ପ୍ରବୋଧ କୁମାର ମିଶ୍ର, ସାରଦା ପ୍ରସନ୍ନ ନନ୍ଦ, ବସନ୍ତ କୁମାର ଦାଶ, ଅରୁଣ କୁମାର ପଣ୍ଡା, ସୁବାସ ଚନ୍ଦ୍ର ପଟ୍ଟନାୟକ, ଅର୍ଜୁନ ରଞ୍ଜନ ପଣ୍ଡା, ଗଜେନ୍ଦ୍ର କୁମାର ମହାନ୍ତି, ସେକ୍ ଅବଦୁଲ ମନାନ୍, ସୁରେନ୍ଦ୍ର ସାହୁ, ଭାଗବତ ତ୍ରିପାଠୀ, ଶ୍ରୀରାମ ଦାଶ, ସୁଦାମ ଚରଣ ନାୟକ, ହଳଧର ଧୀର, ଅଜିତ୍ କୁମାର ମହାନ୍ତି, ଅକ୍ଷୟ କୁମାର ପତି, ସୁବାସ ପାଣିଗ୍ରାହୀ, ସୁଜ୍ଞାନ ଚୌଧୁରୀ, ଗୁରୁକଲ୍ୟାଣ ମହାପାତ୍ର, ଚିତ୍ତରଞ୍ଜନ ମିଶ୍ର, ତ୍ରିଲୋଚନ ମହାପାତ୍ର, ଗୌରାଙ୍ଗ ଚରଣ ହୋତା, ଶରତ ଚନ୍ଦ୍ର ଦାଶ ଓ ରବି ରଥଙ୍କୁ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପେନ୍ସନ ପ୍ରଦାନ କରାଯିବା ପାଇଁ ବୋର୍ଡ଼ ସ୍ଥିର କରିଛି ।