ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ପୂର୍ବ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି ଯାହା ଆସନ୍ତାକାଲି ସୁଦ୍ଧା ଏହା ଲଘୁଚାପର ରୂପ ନେବ ।ଏହା କ୍ରମଶଃ ତାମିଲନାଡୁ ଓ ଶ୍ରୀଲଙ୍କା ଆଡ଼କୁ ମୁହାଁଇବ ଏବଂ ଉତ୍ତର ତାମିଲନାଡୁରେ ସ୍ଥଳଭାଗ ଅତିକ୍ରମ କରିବାର ଅଧିକ ସମ୍ଭାବନା ରହିଛି । ଆଇଏମ୍ଡିର ଏକ ମଡେଲରୁ ଏନେଇ ପୂର୍ବାନୁମାନ କରାଯାଇଛି । ଲଘୁଚାପର କିଛି ପ୍ରଭାବ ଉତ୍ତର ଆନ୍ଧ୍ରକୁ ଥିବାବେଳେ ଓଡ଼ିଶାର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବା ନେଇ ପାଣିପାଗ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।
ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଜ୍ଞାନ ଉମାଶଙ୍କର ଦାସ କହିଛନ୍ତି , ରାଜ୍ୟରେ ଆଉ ୨ ଦିନ ପାଗ ଶୁଖିଲା ରହିବ । କିନ୍ତୁ ୧୦ ତାରିଖରୁ ଦକ୍ଷିଣ ଓଡ଼ିଶାର କୋରାପୁଟ , ମାଲକାନାଗିରି ଓ ଗଜପତିରେ ବର୍ଷା ସମ୍ଭାବନା ରହିଛି । ପରେ ୧୧ ତାରିଖରେ ଦକ୍ଷିଣ ଉପକୂଳର ୮ ଜିଲ୍ଲା ଏବଂ ୧୨ ତାରିଖରେ ୧୦ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ଶ୍ରୀ ଦାସ କହିଛନ୍ତି । ସେହିପରି ଆସନ୍ତା ୧୪ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ଏହା ୧୬ରେ କେନ୍ଦ୍ର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟବର୍ତ୍ତୀ ହେବାର ଆଶଙ୍କା କରାଯାଉଛି । ଏହାର ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ ।