ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଟୋକିଓ ପାରାଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ବିଜେତା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ ସମେତ ମୋଟ ୧୨ଜଣ କ୍ରୀଡ଼ାବିତ୍ଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଦିଆଯିବ । ଏ ନେଇ ମଙ୍ଗଳବାର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ଖେଳରତ୍ନ ପାଇବାରେ ପ୍ରମୋଦ ହେଉଛନ୍ତି ପ୍ରଥମ ଓଡ଼ିଆ । ସେହିପରି ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜୟୀ ଭାରତୀୟ ହକି ଦଳ ସମେତ ମୋଟ ୩୫ଜଣ କ୍ରୀଡ଼ାବିତ୍ଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ । ପୂର୍ବରୁ ଅର୍ଜୁନ ପୁରସ୍କାର ପାଇଥିବା ଅଧିନାୟକ ମନପ୍ରୀତ ସିଂହ ଓ ଗୋଲକିପର ପି.ଆର ଶ୍ରୀଜେଶଙ୍କୁ ମଧ୍ୟ ଚଳିତ ଥର ଖେଳରତ୍ନ ପୁରସ୍କାର ତାଲିକାରେ ସାମିଲ କରାଯାଇଛି । ପଦକ ବିଜୟୀପ୍ରମୋଦଙ୍କୁ ଭାରତୀୟ ହକି ଦଳର ସଦସ୍ୟ ଥିବା ଦୁଇ ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାର ପାଇବେ । ବୀରେନ୍ଦ୍ର ୧୦ ଓ ଅମିତ ୧୧ତମ ଓଡ଼ିଆ କ୍ରୀଡ଼ାବିତ୍ ଭାବେ ଅର୍ଜୁନ ପୁରସ୍କାର ପାଇବେ । ଜାତୀୟ କ୍ରୀଡ଼ା ପୁରସ୍କାର ଲାଗି ଗଠିତ ମନୋନୟନ କମିଟି ପକ୍ଷରୁ ପୁରସ୍କାର ଲାଗି ସୁପାରିସ କରାଯାଇଥିବା ଖେଳାଳିଙ୍କ ନାମକୁ କ୍ରୀଡ଼ା ମନ୍ତ୍ରାଳୟ ଅନୁମୋଦନ ପ୍ରଦାନ କରିଛି । ନଭେମ୍ବର ୧୩ରେ ଆୟୋଜିତ ସ୍ଵତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ।