ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) -1ର ନୂତନ ଭବନ ଓ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ବ୍ୟବସ୍ଥା ଉଦ୍ଘାତଟିତ ହେଇଛି । ପୂର୍ବରୁ ବହୁ ସଂଖ୍ୟାରେ ଜନସାଧାରଣ ଆରଟିଓ କାର୍ଯ୍ୟାଳୟକୁ ଆସୁଥିଲେ। ବିଭିନ୍ନ ସେବା ପାଇଁ ଲମ୍ବା ଧାଡିରେ ଠିଆ ହୋଇ ସମୟ ନଷ୍ଟ ହେବା ତଥା ଝାଳରେ ବୁଡି ଠେଲାପେଲା ହେବା ଏକ କଷ୍ଟଦାୟକ ଅନୁଭୂତି ଥିଲା ।
ଉଭୟ ଜନସାଧାରଣ ଓ କର୍ମଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ଓ ଏକକ ୱିଣ୍ଡୋ ସିଷ୍ଟମ ଏକ ଟୋକନ ଆଧାରିତ ଧାଡି ପରିଚାଳନା ସମାଧାନ। ଜନସାଧାରଣଙ୍କ ପ୍ରବାହକୁ ତଦାରଖ ଏବଂ ପରିଚାଳନା କରିବା , ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏହା ଉଭୟ ଅନ୍ ଲାଇନ୍ ଓ ୱାକ-ଇନ୍ ଆବେଦନକାରୀଙ୍କୁ ସେବା ଯୋଗାଇଥାଏ। ଟୋକନ ନେବା ପରେ ଲୋକମାନେ ଆରାମରେ ଏସି ୱେଟିଂ ରୁମରେ ବସି ପାରିବେ। ଟୋକନ ନମ୍ବର ଘୋଷଣା ପରେ ଯେକୌଣସି ୱିଣ୍ଡୋକୁ ଯାଇ ସେବା ପାଇ ପାରିବେ। ଏହା ଦ୍ୱାରା ଜନସାଧାରଣଙ୍କ ଅପେକ୍ଷା ସମୟ ଏବଂ ସେବା ବିତରଣ ସମୟ ହ୍ରାସ ପାଇବ ଓ ନାଗରିକମାନେ ପ୍ରଶାସନର ସମସ୍ତ ସୁଲଭ ସୁବିଧା ଉପଲବ୍ଧ କରିବେ ଓ ସନ୍ତୋଷମୂଲକ ଭାବେ ସୁଖଦ ଅନୁଭୂତି ନେଇ ଯିବେ ।
ଏହି ସୁବିଧା ଖୁବ ଶୀଘ୍ର ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ ଏବଂ ପୁରୀରେ ଆରମ୍ଭ ହେବ। ସରକାରି ସେବାର ସମସ୍ତ ସୁବିଧା ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ , ରାଜ୍ୟ ସରକାର ଓ ୫T ଅନୁକରଣରେ ନାଗରିକ ସେବାକୁ ଆହୁରି ସମୃଦ୍ଧ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ଜନତାଙ୍କ ସେବାରେ ଉତ୍ସର୍ଗୀକୃତ ।(ଆଶିଷ କୁମାର ରାଉତ)