ସନଷ୍ଟାର ଟିଭି ବ୍ୟୁରୋ
ତିର୍ତ୍ତୋଲ: ଗତ୨୮ତାରିଖରୁ ଜଗତସିଂହପୁର ଜିଲ୍ଲାକୁ ପଶି ଆସିଥିବା ବଣୁଆ ହାତୀ ଏବେ ଏରସମା ଅଞ୍ଚଳରେ ପହଞ୍ଚିଛି। ମଧ୍ୟାହ୍ନ ୧୨ଘଟିକାରେ ଏରସମା ବ୍ଲକ ପଲ୍ଲିକଣ୍ଟା ପଞ୍ଚାୟତ ସୁମୁଡା ଓ କେନ୍ଦୁରିଶାଳ ଗାଁ ମଝି ଗହିର ଧାନବିଲରେ ହାତୀଟି ଥିବା ବେଳେ ହାତୀକୁ ଦେଖିବା ପାଇଁ ଶହଶହ ଲୋକ ଜମା ହେଉଥିବା ଦେଖିବାକୁ ମିଳିଛି। ବଣୁଆ ମାଇ ହାତୀଟି କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା ଜିଲ୍ଲା ଦେଇ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ବର୍ତ୍ତି ଅଞ୍ଚଳରେ ଗତ ୨୮ତାରିଖରେ ପ୍ରବେଶ କରିଥିଲା। ପରେ ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ଗତକାଲି ଦିନ ତମାମ ଥିଲା। ଉପକୂଳ ଅଞ୍ଚଳକୁ ବଣୁଆହାତୀ ଆସିବା ଘଟଣା ପ୍ରଥମ ହୋଇଥିବାରୁ ହାତୀ ଯେଉଁ ଅଞ୍ଚଳକୁ ଯାଉଛି ତାକୁ ଦେଖିବାକୁ ଶହଶହ ଲୋକ ରୁଣ୍ଡ ହୋଇ କୋଳାହଳ କରୁଥିବାରୁ ହାତୀ ଲୋକଙ୍କ ମଧ୍ୟରେ ଗୋଡାଗୋଡି ହେବାର ଦୃଶ୍ୟ ଦେଖିବାକୁ ମିଳିଛି। ଗତକାଲି ହାତୀ ଆକ୍ରମଣରେ ତିର୍ତ୍ତୋଲ ବ୍ଲକ ତରଜଙ୍ଗା ପଞ୍ଚାୟତ ବମ୍ଫାପୁର ଗ୍ରାମର ପଦନ ସାହୁ ନାମକ ଜଣେ ବୃଦ୍ଧ ଆହାତ ହୋଇଥିବା ବେଳେ ବିଳମ୍ବିତ ରାତିରେ ବୋଧେଇ ପଞ୍ଚାୟତ ଅଇବିଲି ଗ୍ରାମର ବାବୁଲି ଓରଫ ବାବୁରାମ ଦାସ ନାମକ ଜଣେ ୫୫ବର୍ଷ ବୟସ୍କ ବ୍ୟକ୍ତି ଗୁରୁତର ଆହତ ହୋଇ ମଣିଜଙ୍ଗା ପରେ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର ହୋଇଛନ୍ତି। ହାତୀକୁ ଉଦ୍ଧାର କରିବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ପଚାଶରୁ ଉର୍ଦ୍ଧ କର୍ମଚାରୀ ଟ୍ରାଙ୍କୁଲାଇଜର ଟିମ ସହ ହାତୀକୁ ଅନୁସରଣ କରି ନୟାନ୍ତ ହେଲେଣି। ପୋଲିସ ଟିମ,ଆମ୍ବୁଲାନ୍ସ, ବିଦ୍ୟୁତ ବିଭାଗ କର୍ମଚାରୀ ହାତୀ ଉଦ୍ଧାର କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ହାତୀଟି ଧାନ ଗହିର ମଝିଦେଇ ବାରମ୍ବାର ସ୍ଥାନ ପରିବର୍ତ୍ତନ କରିଚାଲିଛି। ଏବେ ହାତୀ ଏରସମା ବ୍ଲକ ପଲ୍ଲିକଣ୍ଟା ପଞ୍ଚାୟତ ସୁମୁଡା ଓ କେନ୍ଦୁରିଶାଳ ଗାଁ ମଝି ଧାନ ଗହିରେ ଥିବା ବେଳେ ଶହଶହ ଲୋକଙ୍କ ଗହଳି ଯୋଗୁଁ ଜଙ୍ଗଲ ବିଭାଗ କର୍ମଚାରୀ ମାନଙ୍କ ହାତୀ ଉଦ୍ଧାର ବାଧାପ୍ରାପ୍ତ ହୋଇଛି। ହାତୀ ଯୋଗୁଁ ବହୁ ପରିମାଣରେ ଧାନଫସଲ ନଷ୍ଟ ହୋଇଛି।(ରିର୍ପୋଟ:ନିଶାକର ଦାସ)