ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ପେଟ୍ରୋଲ , ଡିଜେଲ , ରନ୍ଧନ ଗ୍ୟାସ ସମେତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପାଇଁ କେନ୍ଦ୍ରର ବିଜେପି ସରକାରକୁ ଦାୟୀ କରି ଏହାକୁ ନେଇ ଜନଆନ୍ଦୋଳନ କରିବା ସହ ରାସ୍ତାକୁ ଓହ୍ଲାଇଛି ବିଜେଡି । ଏଥିପାଇଁ ଆଜି ରାଜଭବନ ସମ୍ମୁଖରେ ପ୍ରତିବାଦ କରୁଛି ବିଜେଡି। ବିଜୁ ମହିଳା ଜନତା ଦଳ ନେତୃତ୍ବରେ ରାଜଭବନ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀରମୂଲ୍ୟବୃଦ୍ଧି ହ୍ରାସ ଦାବି ନେଇ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ। ଓଡିଶାର ସବୁ ବର୍ଗର ପରିବାରକୁ ରନ୍ଧନଗ୍ୟାସର ଦରବୃଦ୍ଧି ପ୍ରଭାବିତ କରିଛି । ରନ୍ଧନ ଗ୍ୟାସ ସିଲିଣ୍ଡର ଦର ରାଜ୍ୟରେ ଏବେ ୧୦୦୦ ଟଙ୍କା ଛୁଇଁବାକୁ ଯାଉଛି । ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା , ଡିଜେଲ ୧୦୭ ଟଙ୍କା ଓ ୧୪.୨ କିଲୋ ରନ୍ଧନଗ୍ୟାସ ସିଲିଣ୍ଡର ଦର ୯୨୬ ଟଙ୍କା ରହିଛି । ୨୦୧୯ ରେ ପେଟ୍ରୋଲ ଲିଟର ୭୧ ଟଙ୍କା ଓ ଡିଜେଲ ୬୫ ଟଙ୍କା ରହିଥିଲା । ଦୁଇବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ତୈଳ ଓ ଇନ୍ଧନ ଦରବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧି ଘଟିଛି । ବିଶେଷଜ୍ଞ ଆକଳନ କରିଛନ୍ତି କ୍ରମାଗତ ଇନ୍ଧନ ଦର ବୃଦ୍ଧି ଯୋଗୁଁ ବିଗତ ବର୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ୪୦ % ରୁ ୧୦୦ % ପର୍ଯ୍ୟନ୍ତ ବୃଦ୍ଧି ପାଇଛି । କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା ଯୋଗୁଁ ଏଭଳି ପରିସ୍ଥିତି ଦେଖା ଦେଇଛି । ବିଜେପି ସରକାରର ଏହି ବିଫଳତା ଯୋଗୁଁ ରାଜ୍ୟର କୋଟି କୋଟି ମା ‘ ଭଉଣୀଙ୍କ ସମେତ ଲକ୍ଷ ଲକ୍ଷ ପରିବାର ପ୍ରଭାବିତ ହେଉଛନ୍ତି । ବିଜେପି ବିକାଶ କଥା କହୁଥିବା ବେଳେ ଭୋକରେ ରହିଲେ ବିକାଶ କିପରି ହେବ ବୋଲି ସଂପୃକ୍ତ ନେତାମାନେ ପ୍ରଶ୍ନ କରିଛନ୍ତି । ମୂଲ୍ୟବୃଦ୍ଧି ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଦାୟୀ ହୋଇଥିବାରୁ ଲୋକଙ୍କ ସ୍ବାର୍ଥରକ୍ଷା ପାଇଁ କେନ୍ଦ୍ରର ନୀତି ଓ ଗତି ଉପରେ ଆନ୍ଦୋଳନ କରିବାକୁ ବିଜେଡି ବାଧ୍ୟ ହୋଇଛି ବୋଲି ଦଳର ନେତାମାନେ କହିଛନ୍ତି।