ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ସ୍ଥାନୀୟ ସ୍ବତନ୍ତ୍ର ପ୍ରଶିକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଚଳିତ ବର୍ଷର ବିଷୟବସ୍ତୁ “ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ପଞ୍ଚାୟତିରାଜ ଅନୁଷ୍ଠାନର କର୍ମୀ ବିପର୍ଯ୍ୟୟ ପ୍ରସ୍ତୁତିର ମେରୁଦଣ୍ତ” ଶୀର୍ଷକ ଉପରେ ଆଲୋଚନା ହୋଇଥିଲା। ପ୍ରାକୃତିକ ବିପର୍ଯ୍ୟୟ ବେଳେ ପାରସ୍ପରିକ ସହଯୋଗରେ ଦୁର୍ବିପାକର ମୁକାବିଲା କରାଯାଇପାରିବ। ଦୈବୀ ଦୁର୍ବିପାକ ସଂପର୍କିତ ସଠିକ ସୂଚନା ସହ ଠିକଣା ସମୟରେ ତ୍ବରିତ ପଦକ୍ଷେପ ଗ୍ରହଣ ଓ ସତର୍କତା ଅବଲମ୍ବନର ଆବଶ୍ୟକତା ରହିଛି ।
ବିଶେଷ କରି ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ଅଧିକାରୀ,କର୍ମଚାରୀ,ସ୍ବଂୟ ସହାୟକ ଗୋଷ୍ଠୀ ସଦସ୍ୟ ଓ ବିଭିନ୍ନ ଅନୁଷ୍ଠାନର ସ୍ବେଚ୍ଛାସେବୀ ମାନଙ୍କ ପ୍ରତି ସଂପୃକ୍ତ ଅଞ୍ଚଳରେ ଜନସାଧାରଣଙ୍କ ସହଯୋଗ ରହିଲେ ବିପର୍ଯ୍ୟୟ ପରବର୍ତ୍ତି ପରିସ୍ଥିତିକୁ ମୁକାବିଲା କରିବାରେ ସହାୟକ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିପର୍ଯ୍ୟୟ ପ୍ରସ୍ତୁତିର ଶପଥ ପାଠ କରାଯାଇଛି । ଏତଦବ୍ୟତୀତ ଆଜି ପୂର୍ବାହ୍ନରେ ସମସ୍ତ ବ୍ଲକ ଓ ତହସିଲରେ ଉକ୍ତ ଶପଥପାଠ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଛି ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆପଦକାଳୀନ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିହିର କୁମାର ପଣ୍ତା, ଜିଲ୍ଲା ଅଗ୍ନିଶମ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ରାଉତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ, ଓସଡମାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ସୁକାନ୍ତ କୁମାର ଦାଶ, ସୋଲାର ଅନୁଷ୍ଠାନର ଶ୍ରୀ ହରିଶ ଦାସ ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।(ରିର୍ପୋଟ:ଶଙ୍କର ସରକାର)