ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ବିଧାୟକମାନଙ୍କ ପାଇଁ ପ୍ରସ୍ତାବିତ ବହୁତ୍ତଳ ବିଶିଷ୍ଠ ଆବାସିକ ଗୃହ ନିର୍ମାଣ ପାଇଁ ଏକ ଉଚ୍ଚ ସ୍ତରୀୟ ବୈଠକ ଆଜି ମାନ୍ୟବର ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତିଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ଉକ୍ତ ବୈଠକରେ ଏହାର ନିର୍ମାଣ ସଂକ୍ରାନ୍ତୀୟ ସବିଶେଷ ଆଲୋଚନା ହୋଇଛି । ୨୭୫ କୋଟି ଟଙ୍କା ବ୍ୟୟରେ ଓଡ଼ିଶା ବ୍ରିଜ ଏବଂ କନ୍ସଟ୍ରକସନ କରର୍ପୋରେସନ ଦ୍ବାରା ନିର୍ମିତ ହେଉଥିବା ଉକ୍ତ ବହୁତ୍ତଳ ବିଶିଷ୍ଟ ଆବାସିକ ଗୃହ ନିର୍ମାଣରେ ସମସ୍ତ ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ବାଚସ୍ପତି ଡଃ ପାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ।
ଏହି ଗୃହ ଗୁଡିକ ସହ ସଂଲଗ୍ନ କରି ଯୋଜନାବଦ୍ଧ ଭାବେ କମ୍ୟୁନିଟି ହଲ , ଟେନିସ୍ କୋର୍ଟ , ଜିମ୍ , ମାର୍କେଟ କମ୍ପ୍ଲେକ୍ସ ଇତ୍ୟାଦିର ମଧ୍ୟ ସୁବ୍ୟବସ୍ଥା ଓ ସୁବନ୍ଦୋବସ୍ତ ପାଇଁ ବାଚସ୍ପତି ଡଃ ପାତ୍ର ପରାମର୍ଶ ଦେଇଛନ୍ତି । ଏପର୍ଯ୍ୟନ୍ତ ୧୬ଜଣ ବିଧାୟକ ଏବଂ ପୂର୍ବତନ ବିଧାୟକ ଗୃହ ଛାଡିନଥିବାରୁ ସେମାନଙ୍କୁ ତୁରନ୍ତ ଉଚ୍ଛେଦ ପାଇଁ ବାଚସ୍ପତି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବ ଏସ୍ . କୁମାର , ବିଧାନସଭା ସଚିବ ଦାଶରଥୀ ଶତପଥୀ , ଅର୍ଥ ବିଭାଗ ଅତିରିକ୍ତ ଶାସନ ସଚିବ ନୃସିଂହ ଚନ୍ଦ୍ର ସ୍ବାଇଁ , ନିର୍ଦ୍ଦେଶକ ଇଷ୍ଟେସ୍ ଏସ୍ . କେ . ମହାନ୍ତି , ଓଡ଼ିଶା ବ୍ରିଜ ଏବଂ କନ୍ସଟ୍ରକସନ କର୍ପୋରେସନର ମୁଖ୍ୟ ଯନ୍ତ୍ରୀ ଦୁଃଖ ବନ୍ଧୁ ବେହେରା , ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଦୁର୍ଗା ପ୍ରଶନ୍ନ ମିଶ୍ର ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।