ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଏଥର ପଶ୍ଚିମ ଓଡ଼ିଶାର ଆଉ ଏକ ଜିଲ୍ଲାକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ନଭେମ୍ବର ୨ ତାରିଖରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଗସ୍ତ କରିବେ ବୋଲି ଜଣାପଡ଼ିଛି । ସମ୍ବଲପୁର ଯାଇ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସାଙ୍ଗକୁ ପ୍ରାୟ ୭୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଏବଂ କିଛିର ଶିଳାନ୍ୟାସ କରିବେ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିପାଇଁ ଶିଳାନ୍ୟାସ ଓ ଉଦଘାଟନ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଚୂଡ଼ାନ୍ତ ତାଲିକା ମଗାଯାଇଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କର ଏହି କାର୍ଯ୍ୟକ୍ରମକୁ ସଫଳକରିବା ପାଇଁ ବିଜେଡି ପକ୍ଷରୁ ଦଳୀୟ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ଜିଲ୍ଲାର ସମସ୍ତ ୯ଟି ବ୍ଲକ ଓ ୨ଟି ଏନ୍ଏସି ଏବଂ ସମ୍ବଲପୁର ମହାନଗର ନିଗମ ପାଇଁ ବିଭିନ୍ନ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଦାୟିତ୍ଵ ନ୍ୟସ୍ତ ହୋଇଛି । ଦଳର ପ୍ରାୟ ୨୫ରୁ ଅଧିକ ନେତା ଏହି ସବୁ ବ୍ଲକ ଓ ପୌରାଞ୍ଚଳରେ ଉପସ୍ଥିତ ରହି ସ୍ମାର୍ଟ କାର୍ଡବାଣ୍ଟିବା ସହ ବିଜେଡି ସରକାରର ଲୋକଙ୍କ ନିକଟରେ ସୁବାର୍ତ୍ତା ପହଞ୍ଚାଇବେ । ଆଗକୁ ରାଜ୍ୟରେ ପୌର ଏବଂ ପଞ୍ଚାୟତ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତରୁ ରାଜନୈତିକ ଫାଇଦା ଉଠାଇବା ବିଜେଡି ଲକ୍ଷ୍ୟରେ ରହିଛି ।