ସନଷ୍ଟାର ଟିଭି ବ୍ୟୁରୋ
ବାରିପଦା : ନଭେମ୍ବର ପହିଲାରୁ ପର୍ଯ୍ୟଟକଙ୍କ ଲାଗି ଶିମିଳିପାଳ ଅଭୟାରଣ୍ୟ ଖୋଲିବ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଏମ ଯୋଗଜୟାନନ୍ଦ ଏନେଇ ସ୍ଵତନ୍ତ୍ର ବିଜ୍ଞପ୍ତି ଯୋଗେ ସୂଚନା ଦେଇଛନ୍ତି । ଶିମିଳିପାଳ ଭ୍ରମଣ ସହିତ ପର୍ଯ୍ୟଟକ ଅଭୟାରଣ୍ୟରେ ରାତ୍ରଯାପନ ମଧ୍ୟ କରିପାରିବେ । ଶିମିଳିପାଳ ମଧ୍ୟକୁ ପର୍ଯ୍ୟଟକମାନେ ପିଠାବଟା ଫାଟକ ଏବଂ ଯଶିପୁରର କାଳିଆଣି ଫାଟକ ଦେଇ ପ୍ରବେଶ କରିବେ । ପ୍ରବେଶ ନିମନ୍ତେ ଅନୁମତି ପତ୍ର କେବଳ ପିଠାବଟା ଓ ଯଶିପୁର ବୁକିଂ କାଉଣ୍ଟରରୁ ପ୍ରତ୍ୟହ ସକାଳ ୬ଟାରୁ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ମିଳି ପାରିବାର ବ୍ୟବସ୍ଥା ରହିଛି । ଦୈନିକ ସର୍ବାଧିକ ପ୍ରଥମେ ପହଞ୍ଚିଥିବା ୨୫ଟି ଚାରି ଚକିଆ ଯାନ ପିଠାବଟା ତନଖ୍ ଫାଟକ ଦେଇ ଏବଂ ପ୍ରଥମ ୩୫ଟି ଚାରିଚକିଆଯାନ ଯଶିପୁର କାଳିଆଣି ତନଖ୍ ଫାଟକ ମଧ୍ୟ ଦେଇ ପ୍ରବେଶ ପାଇଁ ଅନୁମତି ଦିଆଯିବ । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପକୁ ପ୍ରବେଶ କରିବା ପୂର୍ବରୁ ପର୍ଯ୍ୟଟକମାନେ ପ୍ରଚଳିତ ନିୟମାବଳୀମାନ ପାଳନ ନିମନ୍ତେ ଲିଖତନାମା ଦେବେ ଏବଂ ନିୟମାବଳୀ ଉଲଂଘନ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ । ପର୍ଯ୍ୟଟକଙ୍କ ଯାନ , ପର୍ଯ୍ୟଟକ ଏବଂ ସେମାନଙ୍କ ସାମଗ୍ରୀଗୁଡିକୁ ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ତନଖ୍ ଫାଟକରେ ଯାଞ୍ଚ କରାଯିବ । ଅପରାହ୍ନ ୩ ଟା ପୂର୍ବରୁ ପର୍ଯ୍ୟଟକମାନେ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଏବଂ ଅପରାହ୍ନ ୪ଟା ପୂର୍ବରୁ ଚହଲା ଛାଡିବାକୁ ପଡିବ । ଶିମିଳିପାଳ ଭିତରକୁ ପ୍ରବେଶ ସମୟରେ ପ୍ରତ୍ୟେକ ଯାନ ଜଣେ ମାର୍ଗଦର୍ଶକ ( ଗାଇଡ ) ନେବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଏଥର ମଧ୍ୟ ଶିମିଳିପାଳ ମଧ୍ୟକୁ ପର୍ଯ୍ୟଟକଙ୍କ ପାଇଁ ପ୍ଲାଷ୍ଟିକ ବୋତଲ ବାରଣ କରାଯାଇଛି ।