ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ଆଜି ଠାରୁ ବିଜୁ ଯୁବ ଓ ଛାତ୍ର ଜନତା ଦଳର ପ୍ରଶିକ୍ଷଣ ରାଜ୍ୟସ୍ତରୀୟ ଶିବିର ପୁରୀ ଠାରେ ଅନୁଷ୍ଠିତ ହେବ । ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଶିକ୍ଷଣରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ସଭାପତି , ସଂପାଦକ , କର୍ମକର୍ତ୍ତାଙ୍କ ସହ ରାଜ୍ୟର ୩୧୪ ବ୍ଲକ୍ , ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସଭାପତି , କାର୍ଯ୍ୟକର୍ତ୍ତା ଯୋଗଦେବେ । ରାଜ୍ୟର ବହୁ ମନ୍ତ୍ରୀ , ନେତାମାନେ ଯୋଗଦେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ । ୨୬ ତାରିଖ ସଂଧ୍ୟାରେ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ହୋଟେଲ ହଲିଡେ ରିଟର୍ସଠାରେ ଆଜି ଏକ ସାମ୍ବାଦିକ ସମ୍ମିଳୀନରେ ସୂଚନା ଦେଇ ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ କହିଛନ୍ତି ଯେ ଅକ୍ଟୋବର ୨୬ ଓ ୨୭ , ଦୁଇଦିନ ଧରି ଏହି ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠିତ ହେବ । ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟାପର୍ଯ୍ୟନ୍ତ ଚାଲିବା ୨୬ ତାରିଖରେ ବିଜୁ ଯୁବ ଜନତା ଦଳର ପ୍ରଶିକ୍ଷଣ ଅନୁଷ୍ଠିତ ହେବ । ରାଜ୍ୟର ରାଜ୍ୟସ୍ତରୀୟ ଯୁବ ନେତାଙ୍କ ସହ ୩୧୪ ବ୍ଲକ୍ର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମରେ ଯୋଗଦେବ । ଏଥିରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତୀ ବେହେରା , ବଡମ୍ବା ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର , ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା , କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତୀ ବେହେରା , ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ , ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ବି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ସେହିଭଳି ଅକ୍ଟୋବର ୨୭ରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠିତ ହେବ । ଏଥିରେ ନୟାଗଡ଼ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ . ଅରୁଣ ସାହୁ , ଗଣଶିକ୍ଷା ମନ୍ତ୍ରୀ ସୀମର ରଂଜନ ଦାଶ , ମାହାଙ୍ଗା ବିଧାୟକ ପ୍ରତାପ ଜେନା , ପିପିଲି ବିଧାୟକ ରୁତ୍ରପ୍ରତାପ ମହାରଥୀ , ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ , ବିଜେଡି ନେତା ମହେଶ୍ବର ମହାନ୍ତିପ୍ରମୁଖ ଯୋଗଦେବେ । ତୃଣମୂଳସ୍ତରରରୁ ଦଳକୁ ଆହୁରି ସୁଦୃଢ଼ କରିବା ଏହି ପ୍ରଶିକ୍ଷଣର ମୂଳ ଲକ୍ଷ୍ୟ ରହିବ । ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଯେଭଳି ଗାଁ ଗାଁରେ ପହଞ୍ଚିବ , ସେ ଉପରେ ଗୁରୁତ୍ବ ଦିଆଯିବ । ଏହାସହ ସୋସିଆଲ୍ ମିଡିଆରେ ପ୍ରଚାରପ୍ରଚାରକୁ ବି ପ୍ରାଧାନ୍ୟ ଦିଆଯିବ । ଆଇଟି ସେଲ୍ ଦାୟିତ୍ଵରେ ଥିବା କର୍ମକର୍ତ୍ତାମାନେ ବି ଏହି ପ୍ରଶିକ୍ଷଣରେ ଯୋଗେଦେବେ ।