ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: କାର୍ତ୍ତିକମାସ କୃଷ୍ଣପକ୍ଷ ଷଷ୍ଠୀ ତିଥିରେ ଆଗାମୀ ୨୭ତାରିଖ ବୁଧବାର ଦିନ ଶ୍ରୀମନ୍ଦିର ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବନକଲାଗି କରାଯିବ । ଏଥପାଇଁ ଦ୍ବିତୀୟ ଭୋଗମଣ୍ଡପ ନୀତି ପରେ ଅପରାହ୍ନରେ ପ୍ରାୟ ୩ରୁ ୪ଘଣ୍ଟା ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ। ମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଦ୍ଵିତୀୟ ଭୋଗମଣ୍ଡପ ନୀତି ଶେଷହେବା ପରେ ଜୟବିଜୟ ଦ୍ଵାର ବନ୍ଦ କରାଯିବ । ବିଭିନ୍ନ ପ୍ରାକୃତିକ ରଙ୍ଗସହ ଦତ୍ତମହାପାତ୍ର ସେବାୟତ ଭିତରେ ପ୍ରବେଶ କରିବେ । ରତ୍ନସିଂହାସନ ଉପରକୁ ଯାଇ ଦାରୁବ୍ରହ୍ମଙ୍କୁ ସେମାନେ ବନକଲାଗି (ଶ୍ରୀମୁଖସିଂହାର ) କରିବେ । ବନକଲାଗି ପରେ ଶ୍ରୀଜୀଉଙ୍କୁ ମହାସ୍ନାନ କରାଯିବ । ଦ୍ଵାରଫିଟା ଯିବା ସହ ସନ୍ଧ୍ୟାଆଳତି , ସନ୍ଧ୍ୟାଧୂପ , ଚନ୍ଦନଲାଗି , ବଡ଼ସିଂହାର ବେଶ , ବଡ଼ସିଂହାର ଭୋଗ ଏବଂ ରାତ୍ରପହୁଡ କରାଯିବ । ବନକଲାଗି ପରେ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ।