ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ଵାରା ଆୟୋଜିତ ବୈଠକରେ ଯୋଗ ଦେଇ ଶକ୍ତି , ଶିଳ୍ପ , ଏମ୍ଏସ୍ଏମ୍ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଖଦି ମହିଳାମାନଙ୍କୁ ସମ୍ମାନର ସହ ଆତ୍ମନିର୍ଭରଶୀଳ ହେବା ଶିଖାଉ ବୋଲି କହିଛନ୍ତି । ଗରିବରୁ ଅତି ଗରିବ ମହିଳାମାନଙ୍କୁ ଆଜିର ସମାଜରେ ସଠିକ୍ ରୋଜଗାର ସହ ସେମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳିପାରୁ ନାହିଁ । ବଡ଼ ବଡ଼ ଶିଳ୍ପାନୁଷ୍ଠାନମାନଙ୍କରେ ଲାଭ ତ ରହିବ କିନ୍ତୁ ରାଜ୍ୟ ଖଦି ଭବନରେ ଏଯାବତ କାର୍ଯ୍ୟଶୈଳୀ ଅନ୍ତର୍ଗତ ଯେଉଁ ମା ’ ଭଉଣୀମାନେ ନିଜ ହାତରେ ସୂତା କାଟି ଲୁଗା ବୁଣୁଛନ୍ତି , ସେମାନଙ୍କୁ ଯଥୋଚିତ ସମ୍ମାନ ମିଳି ନାହିଁ ବୋଲି ଆଜି ଭର୍ଚୁଆଲରେ ଅନୁଷ୍ଠିତ ଏମ୍ଏସ୍ଏମ୍ଇ ବୈଠକରେ ମାନ୍ୟବର ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଉପରୋକ୍ତ ମନ୍ତବ୍ୟ ରଖିଥିଲେ । ଖଦି ଭବନ ମହିଳାଙ୍କୁ ସ୍ଵାବଲମ୍ବୀ , ସ୍ଵାଭିମାନ ଓ ଆତ୍ମସମ୍ମାନ କ୍ଷେତ୍ରରେ କାର୍ଯ୍ୟ କରୁ ଏବଂ ଏହା ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ ହେଉ । ପ୍ରସ୍ତାବିତ ଖଦି ଭବନ ରାଜ୍ୟର ଏକ ପ୍ରମୁଖ ଗ୍ରାମୀଣ କଳାକୌଶଳର ପେଣ୍ଠସ୍ଥଳ ଭାବରେ ପରିଗଣିତ ହେଉ ।
ବିଶେଷଭାବରେ ମହିଳାମାନଙ୍କୁ ଅଗ୍ରାଧିକାର ଭିତ୍ତିରେ କୁଟୀରଶିଳ୍ପ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକୌଶଳ ତାଲିମ୍ ପ୍ରଦାନ ନିମନ୍ତେ ଏଠାରେ ବ୍ୟବସ୍ଥା ଉପଲବ୍ଧ ହେବା ସହ ଏହାକୁ ଏକ ଅନନ୍ୟ କେନ୍ଦ୍ର ଭାବରେ ଗଢ଼ି ତୋଳିବାକୁ ସେ ପରାମର୍ଶ ଦେଇଥିଲେ । ଏହାର ନିର୍ମାଣ କାର୍ଯ୍ୟକୁ ନିର୍ଧାରିତ ସମୟ ମଧ୍ୟରେ ଶେଷ କରିବା ପାଇଁ ସେ କହିଥିଲେ । ଏଥିସହିତ ଖଦି ଭବନ ମହାତ୍ମା ଗାନ୍ଧୀ ଦେଖାଇଥିବା ‘ କୁଟି ଖାଅ , କାଟି ପିନ୍ଧ ’ ନୀତିକୁ ସମାଜରେ ପ୍ରତିଫଳିତ କରୁ ବୋଲି ବୈଠକରେ ମନ୍ତ୍ରୀ କହିଥିଲେ । ଆମ ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ଗାନ୍ଧୀ ପ୍ରଦର୍ଶିତ ନୀତି ଆଦର୍ଶରେ ବିଶ୍ଵାସ କରନ୍ତି । ତେଣୁ ଗରିବ ମା ’ ଭଉଣୀଙ୍କ ବିକାଶ ଆମର ମୂଳ ଉଦ୍ଦେଶ୍ୟ ହେବା ଆବଶ୍ୟକ । ଏହି ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚୁ । ମହିଳାଙ୍କ ବିକାଶ ହେଲେ ଆମର ବଜାର ଚାହିଦା ବୃଦ୍ଧି ପାଇବ । ତେବେ ଯାଇ ବିଶ୍ୱସ୍ତରୀୟ ଖଦି ଭବନର ସ୍ଵପ୍ନ ସାକାର ହୋଇପାରିବ ବୋଲି ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର କହିଥିଲେ । ତତ୍ସହିତ ଆଦିବାସୀ ମହିଳାମାନଙ୍କୁ ମଧ୍ୟ ଏ କ୍ଷେତ୍ରରେ କେମିତି ସୁବିଧା ସୁଯୋଗ ମିଳିପାରିବ ଏମ୍ଏସ୍ଏମ୍ଇ ସହାୟତାରେ ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବାକୁ ଚେଷ୍ଟା ହେବା ଆବଶ୍ୟକ ବୋଲି ମନ୍ତ୍ରୀ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ଉଦ୍ବୋଧନ ଦେଇଥିଲେ । ହଳଦୀ ଚାଷୀ , ଅଦା ଚାଷୀ , ତେନ୍ତୁଳି ସଂଗ୍ରହକାରୀଙ୍କୁ କେମିତି ବୈଷୟିକ ସହାୟତା ମିଳିପାରିବ ସେ ସମ୍ପର୍କରେ ଜିଲ୍ଲା ଶିଳ୍ପ ଅଧିକାରୀଙ୍କୁ ଅଧିକ ଯବାନ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଶିଳ୍ପ କେନ୍ଦ୍ର ଅଧିକାରୀମାନେ ଅଧିକରୁ ଅଧିକ ଜନହିତୈଷୀ ହେବା ଆବଶ୍ୟକ । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଭାବେ ଉପସ୍ଥିତ ଅଧ୍ୟାକାରୀଙ୍କୁ ମନ୍ତ୍ରୀ ଶିଳ୍ପ ଅନୁନ୍ନତ କଳାହାଣ୍ଡି ଜିଲ୍ଲାରେ ପ୍ରଥମେ ଏମ୍ସ୍ଏମ୍ଇ ତାର ବିକାଶ କାର୍ଯ୍ୟ ଆରମ୍ଭ କରିବାକୁ ମନ୍ତ୍ରୀ ଆହ୍ଵାନ ଜଣାଇଥିଲେ । ଏମ୍ଏସ୍ଏମ୍ଇ ବିଭାଗ ତା’ର ବିଭିନ୍ନ କାର୍ଯ୍ୟକ୍ରମରେ ସରଳ ଋଣ ବ୍ୟବସ୍ଥା , ସହଜ ବୈଷୟିକ ସହାୟତା ଯୋଗାଇ ଜିଲ୍ଲାର ଯୁବକଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏମ୍ଏସ୍ଏମ୍ଇ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ , ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦିକ୍ ଆଲାମ୍ , ଅତିରିକ୍ତ ସଚିବ ଶ୍ରୀ ଉଦୟ ନାରାୟଣ ଦାସ ଓ ସମସ୍ତ ଜିଲ୍ଲାର ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ପ୍ରମୁଖ ଉପସ୍ଥିତ ଥିଲେ ।