ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜି ଠାରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀ ପଠାପଢ଼ା ଆରମ୍ଭ ହେଉଛି । ସକାଳ ୯ଟାରୁ ଦିନ ୧୨.୩୦ଟା ପର୍ଯ୍ୟନ୍ତ ଏହା ଚାଲିବ। ତେବେ ସ୍କୁଲରେ ମଧ୍ୟାହ୍ନଭୋଜନ ଦିଆଯିବନାହିଁ । ଏହାବଦଳରେ ଶୁଖିଲା ଖାଦ୍ୟ ଦିଆଯିବ। ଉଭୟ ଅନଲାଇନ୍ ଏବଂ ଅଫ୍ଲାଇନ କ୍ଲାସ୍ ଜାରି ରହିବ । ଛାତ୍ରଛାତ୍ରୀ ସେମାନଙ୍କର ଅଭିଭାବକଙ୍କ ଅନୁମତିରେ ଅଫ୍ଲାଇନ କ୍ଲାସ୍ରେ ଯୋଗଦେବେ । କୋଭିଡ– ୧୯ ନିୟମ ଓ ସାମାଜିକ ଦୂରତା ଅନୁସରଣ କରି ବିଦ୍ୟାଳୟଗୁଡ଼ିକ ପୁନଃ ଖୋଲିବା ସହ ହଷ୍ଟେଲ ମଧ୍ୟ ଖୋଲାଯିବ । ହଷ୍ଟେଲରେ ରହିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଭିଭାବକଙ୍କ ସମ୍ମତି ବାଧ୍ୟତାମୂଳକ କରାଯାଇଛି । ତେବେ ଆଜି ପ୍ରଥମ ଦିନରେ ପାଠପଢ଼ା ହେବନାହିଁ । ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି କେବଳ ପିଲାଙ୍କ ସହ ଆଲୋଚନା କରିବେ । ୨୭ , ୨୮ ଓ ୨୯ ତାରିଖରେ ସ୍ୱତନ୍ତ୍ର ପରୀକ୍ଷା ଜରିଆରେ ଶିକ୍ଷାସ୍ତର ଆକଳନ ହେବ । ଏଥିପାଇଁ ବିଦ୍ୟାଳୟ ଖୋଲିବାର ପ୍ରଥମ ଦୁଇଦିନ ୨୫ ଓ ୨୬ ତାରିଖରେ ପିଲାମାନଙ୍କ ମଧ୍ୟରେ ଆଲୋଚନା , ତର୍କ ପ୍ରତିଯୋଗିତା , ସଂଗୀତଗାନ , ଚିତ୍ରାଙ୍କନ , ମାଟିକାମ , କୋଭିଡ ସମୟରେ ସମୟ କିପରି ବିତାଇଲେ ତାହା ଉପରେ ଆଲୋଚନା କରାଯିବ। ୨୭ ତାରିଖରେ ଓଡ଼ିଆ , ୨୮ ତାରିଖରେ ଗଣିତ ଓ ୨୯ ତାରିଖରେ ଇଂରାଜୀ ବିଷୟରେ ଛାତ୍ରଛାତ୍ରୀ ପରୀକ୍ଷାଦେବେ । ସମୟସୀମା ମାତ୍ର ୧ ଘଣ୍ଟା ରହିବ । ପ୍ରଶ୍ନପତ୍ର ଓ ସେପା ଓ ଏସ୍ସିଇଆରଟି ପକ୍ଷରୁ ଯୋଗାଇ ଦିଆଯିବ । ଯେଉଁ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସୁନଥୁବେ , ପ୍ରଧାନଶିକ୍ଷକ ବା ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଘରକୁ ପ୍ରଶ୍ନପତ୍ର ପଠାଇ ଏହି ଆକଳନ କରାଇବେ । ପ୍ରତ୍ୟେକ ଛାତ୍ରର ଫଳାଫଳ ଲିପିବଦ୍ଧ କରାଯିବ । ହାର ବିଶ୍ଳେଷଣ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ । ଆକଳନ ଶେଷ ହେବାପରେ ପ୍ରତି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିକାରାତ୍ମକ ଶିକ୍ଷା ପ୍ରଧାନଶିକ୍ଷକଙ୍କ ଦ୍ବାରା କରାଯିବା । ଯଦି କୌଣସି ଶିକ୍ଷକ ବା ଛାତ୍ରଛାତ୍ରୀ ଥଣ୍ଡା ବା କଫଜନିତ ରୋଗରେ ପୀଡ଼ିତ ଥିବେ , ତାଙ୍କୁ ବିଦ୍ୟାଳୟରେ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ । ଯେଉଁଠି କରୋନା ସଂକ୍ରମଣ ହାର ଅଧିକ ରହିଥିବ , ସେଠାରେ ଥିବା ବିଦ୍ୟାଳୟ ଖୋଲିବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ଜିଲ୍ଲାପାଳମାନେ ନେଇପାରିବେ ।