ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ନଭେମ୍ବର ଶେଷ ସପ୍ତାହରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ ବୋଲି ସୂଚନା ମିଳିଛି । କରୋନା କଟକଣାକୁ କଡାକଡି ଭାବେ ପାଳନ କରିବାକୁ ଏଥିପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅଧିବେଶନରେ ୨୦ଟି ବୈଠକ ରହିବ ଏବଂ ଏହା ଖ୍ରୀଷ୍ଟମାସ ପୂର୍ବରୁ ଶେଷ ହେବ ।
ସୂଚନାଯୋଗ୍ୟ ଯେ କରୋନା ଯୋଗୁଁ ଗତ ବର୍ଷ ସଂସଦର ଶୀତ ଅଧିବେଶନ ହୋଇନଥିଲା । ତେବେ ଚଳିତ ବର୍ଷର ଶୀତକାଳୀନ ଅଧିବେଶନକୁ ନେଇ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । କିନ୍ତୁ ସୂଚନା ଅନୁଯାୟୀ ଏହି ଅଧିବେଶନ ନଭେମ୍ବର ୨୯ରୁ ଆରମ୍ଭ ହୋଇ ଡିସେମ୍ବର ୨୩ ପୂର୍ବରୁ ଶେଷ ହେବ । ଲୋକସଭା ଏବଂ ରାଜ୍ୟସଭା ଏକାସଙ୍ଗରେ ଚାଲିବ । ଏହି ସମୟରେ ସଦସ୍ୟମାନେ ସାମାଜିକ ଦୂରତ୍ବ ସହିତ ଅନ୍ୟାନ୍ୟ କରୋନା କଟକଣାକୁ ପାଳନ କରିବେ । ପ୍ରଥମେ କିଛି ସେସନ ପାଇଁ ଉଭୟ ଗୃହ ଅଲଗା ଅଲଗା ସମୟରେ ବସିବ । ସଂସଦ ଭବନ ଭିତରକୁ ଅଧିକ ଲୋକଙ୍କୁ ଯିବାକୁ ଅନୁମତି ଦିଆଯିବ ନାହିଁ । ସଂସଦରେ ସାମିଲ ହେବା ପୂର୍ବରୁ ସଦସ୍ୟ ତଥା କର୍ମଚାରୀମାନଙ୍କର କରୋନା ପରୀକ୍ଷା କରାଯିବ। ଆସନ୍ତା ବର୍ଷ ଉତ୍ତରପ୍ରଦେଶ,ପଞ୍ଜାବ ସମେତ ୫ ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାର କିଛି ମାସ ପୂର୍ବରୁ ଶୀତକାଳୀନ ଅଧିବେଶନ ବସୁଥିବାରୁ ଏହା ଅନେକ ଗୁରୁତ୍ବ ବହନ କରୁଛି ।