ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପଞ୍ଚାୟତିରାଜ ବିଭାଗ ୭ ଜଣ କନିଷ୍ଠ ଓ ବରିଷ୍ଠ ବର୍ଗ ଓଡ଼ିଶା ପ୍ରଶାସନିକ ଅଧିକାରୀ (ଓଏଏସ୍ ) ଏବଂ ଓଡ଼ିଶା ରାଜସ୍ୱ ସେବା ( ଓଆର୍ଏସ୍ ) ର ୧୧ ଅଧିକାରୀଙ୍କୁ ଅଦଳବଦଳ କରିଛି । ଶୁକ୍ରବାର ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ବଦଳି ହୋଇଥିବା ଓଏଏସ୍ ଅଧିକାରୀମାନେ ହେଉଛନ୍ତି ସମ୍ବିତ ଶତପଥୀ , ପଲ୍ଲବୀରାଣୀ ରାଜ୍ , ସୁନୀଲ ମେହେର , ଆଶୀଷ୍ ରଞ୍ଜନ ସାହୁ , ଲକ୍ଷ୍ମୀଧର ସାହୁ , ଉମାକାନ୍ତ ବେହେରା ଓ ସୌମ୍ୟାଶ୍ରୀ ପାଣିଗ୍ରାହୀ । ସେହିପରି ଦୁଇ ବରିଷ୍ଠ ଓଏଏସ୍ଙ୍କୁ ନିଜ ପଦବୀର ଦାୟିତ୍ଵ ସହ ଅନ୍ୟ ଏକ ପଦବୀରେ କାର୍ଯ୍ୟ ସମ୍ପାଦନ କରିବାକୁ ଅନୁମତି ମିଳିଛି । ବେଗୁନିଆ ବିଡିଓ ଲକ୍ଷ୍ମୀଧର ସାହୁ ନିଜ କାର୍ଯ୍ୟ ସହ କାଶୀନଗର ତହସିଲଦାର କାର୍ଯ୍ୟ ସମ୍ପାଦନ ପାଇଁ ଅନୁମତି ମିଳିଥିବା ବେଳେ କଳାହାଣ୍ଡି ଉପଜିଲ୍ଲାପାଳ ସୁଶ୍ରୀପ୍ରଧାନଙ୍କୁ ନିଜ ଦାୟିତ୍ଵ ସହ ମାର୍ଶାଘାଇ ତହସିଲଦାର କାର୍ଯ୍ୟ କରିବାକୁ ଅନୁମତି ମିଳିଛି । ସେହିଭଳି ୧୧ ଜଣ ଓଡ଼ିଶା ରାଜସ୍ୱ ସେବା ( ଓ ଆରଏସ୍) ଅଧିକାରୀ ମଧ୍ୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବଦଳି ହୋଇଛନ୍ତି । ଚିତ୍ରକୋଣ୍ଡା ଅତିରିକ୍ତ ତହସିଲଦାର ଚନ୍ଦ୍ରମଣୀ ସ୍ୱାଇଁଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି । ବାଲେଶ୍ବର ଅତିରିକ୍ତ ଜିଲ୍ଲାପାଳ ସତ୍ୟାନନ୍ଦ ପାତ୍ର ଧାମନଗର ସବ୍ ରେଜିଷ୍ଟ୍ରାର ହୋଇଛନ୍ତି । ପୁରୀ ଅତିରିକ୍ତ ଜିଲ୍ଲାପାଳ ବିଷ୍ଣୁପ୍ରିୟା ବେହେରା ନିମାପଡ଼ାର ଅତିରିକ୍ତ ତହସିଲଦାର ଏବଂ ଓରେରା ଓଏସ୍ଡି ଥିବା ଶିବାଶିଷ ପରିଡ଼ା ଖୋର୍ଦ୍ଧାର ଅତିରିକ୍ତ ତହସିଲଦାର ଭାବେ ନୂଆ ଦାୟିତ୍ଵ ପାଇଛନ୍ତି । ବର୍ତ୍ତମାନର ଖୋର୍ଦ୍ଧା ଅତିରିକ୍ତ ତହସିଲଦାର ରବି ପାଢ଼ୀଙ୍କୁ ଓରେରା ଓଏସ୍ଡି ଭାବେ ସ୍ଥାନାନ୍ତର କରାଯାଇଛି ।
ସେହିଭଳି ଭୋଗରାଇ ଅତିରିକ୍ତତହସିଲଦାର ସନ୍ତୋଷ ପାଣିଗ୍ରାହୀଙ୍କୁ ସତ୍ୟବାଦୀର ଅତିରିକ୍ତ ତହସିଲଦାର ଏବଂ ବାଲିଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ହଳଧର ନାୟକଙ୍କୁ ଓଡ଼ିଆ ଭାଷା , ସାହିତ୍ୟ ଏବଂ ସଂସ୍କୃତି ବିଭାଗର ଓଏସ୍ଡି କରାଯାଇଛି । ଏହାବାଦ୍ ରେମୁଣା ଅତିରିକ୍ତ ତହସିଲଦାର ମନୋଜ ସେନାପତିଙ୍କୁ ଖଣ୍ଡଗିରି ସବ୍ – ରେଜିଷ୍ଟ୍ରାର , ବଡ଼ସାହି ଅତିରିକ୍ତ ତହସିଲଦାର ପୃଥ୍ବୀରାଜ ପରିଡ଼ାଙ୍କୁ ରେମୁଣା ଅତିରିକ୍ତ ତହସିଲଦାର ଭାବେ ସରକାର ବଦଳି କରିଛନ୍ତି । ନିପାପଡ଼ାର ବର୍ତ୍ତମାନର ଅତିରିକ୍ତ ତହସିଲଦାର ଥିବା ନିଶା ଗୋଏଙ୍କାଙ୍କୁ ପୁରୀର ଅତିରିକ୍ତ ଜିଲ୍ଲାପାଳ ଏବଂ ଚକାପାଦ ଅତିରିକ୍ତ ତହସିଲଦାର ଅଭିନାଶ ମହାରଙ୍କୁ ରଣପୁର ଅତିରିକ୍ତ ତହସିଲଦାର ଭାବେ ନିଯୁକ୍ତ କରାଯାଇଛି । ଏ ନେଇ ରାଜ୍ୟ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଉପସଚିବ ବିକେ ଗିରି ଏକ ବିଜ୍ଞପ୍ତିରେ ଜଣାଇଛନ୍ତି ।