ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତକୁ ଆସୁଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ରହିଥିବ କରୋନା ସମ୍ବଳିତ ମାର୍ଗଦର୍ଶିକାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସଂଶୋଧନ କରିଛନ୍ତି । ସୂଚନାଅନୁଯାୟୀ ଆସନ୍ତା ୨୫ ତାରିଖରୁ ନୂଆ ମାର୍ଗଦର୍ଶିକା କାର୍ଯ୍ୟକାରୀ ହେବ । ଅନ୍ତର୍ଜାତୀୟ ଯାତ୍ରୀମାନେ ଯଦି ପୂରା ମାତ୍ରା ଟିକା ନେଇଥାନ୍ତି ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଞ୍ଜୁରିପ୍ରାପ୍ତ ଟିକାକୁ ନେଇ ଭାରତର ଯେଉଁସବୁ ଦେଶ ସହିତ ପାରସ୍ପରିକ ଗ୍ରହଣଯୋଗ୍ୟତା ରହିଛି ସେଠାରୁ ଆସୁଥିବା ଯାତ୍ରୀମାନଙ୍କୁ ବିମାନ ବନ୍ଦରରେ ଅଟକାଯିବ ନାହିଁ । ଏଥିସହିତ ସେମାନଙ୍କୁ ହୋମ୍ କ୍ବାରେନଣ୍ଟାଇନରେ ରହିବାକୁ ହେବନାହିଁ କିମ୍ବା ଟେଷ୍ଟିଙ୍ଗ କରିବାକୁ ହେବନାହିଁ ।
କିନ୍ତୁ ସେମାନଙ୍କୁ କରୋନା ନେଗେଟିଭ ଆର୍ଟି – ପିସିଆର୍ ରିପୋର୍ଟ ଦେଖାଇବାକୁ ହେବ। ଯଦି ଯାତ୍ରୀମାନେ ଆଂଶିକ ଟିକା ନେଇଥାନ୍ତି ସେମାନଙ୍କୁ ପହଞ୍ଚିବା ସ୍ଥାନରେ କରୋନା ଟେଷ୍ଟ ପାଇଁ ନମୁନା ଦାଖଲ କରିବାକୁ ହେବ । ଏହାପରେ ସେମାନେ ବିମାନ ବନ୍ଦରରୁ ଯାଇ ସାତ ଦିନ ପାଇଁ ଘରେ କ୍ବାରାଣ୍ଟିନରେ ରହିବେ ଅଷ୍ଟମ ଦିନରେ ସେମାନଙ୍କ ପୁଣି କରୋନା ପରୀକ୍ଷା ହେବ । ଯଦି ନେଗେଟିଭ ଆସେ ତାହେଲେ ସେମାନେ ନିଜର ସ୍ବାସ୍ଥ୍ୟକୁ ନିଜେ ଆଉ ସାତ ଦିନ ପାଇଁ ନିରୀକ୍ଷଣ କରିବେ।