ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ନେଇ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମାସରେ ସରକାରଙ୍କ ତରଫରୁ ଓଡ଼ିଶାର ବିଭିନ୍ନ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷାନୈପୁଣ୍ୟତା ( ଏନ୍ଏସ୍ ) ପରୀକ୍ଷା କରିବା ଜାତୀୟ ଆଚିଭମେଣ୍ଟ ସର୍ଭେର ବ୍ୟାପକ ପ୍ରସ୍ତୁତି ନିମନ୍ତେ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ବିଦ୍ୟାଳୟଗୁଡ଼ିକର ପରିଷ୍କାରପରିଚ୍ଛନ୍ନତା ନିମନ୍ତେ ପଞ୍ଚାୟତିରାଜ ବିଭାଗ ଜରିଆରେ ଶ୍ରେଣୀ ଗୃହର ବିଦ୍ୟୁତିକରଣ , ଶୌଚାଳୟ ଏବଂ ଜଳଯୋଗାଣ ସୁବିଧା , ବିଦ୍ୟାଳୟ ଓ ଏହାର ଚତୁଃପାର୍ଶ୍ଵ ତଥା ଖେଳପଡ଼ିଆ ଆଦିକୁ ପରିଷ୍କାର କରିବା ଆଦି ସଂପର୍କରେ ଆଲୋଚନା ହୋଇଥିଲା । ଦୀର୍ଘଦିନ ପରେ ଅନେକ ସ୍କୁଲର ଜମିବାଡ଼ି ମାଲିକାନା ସମ୍ବନ୍ଧୀୟ କାଗଜପତ୍ର ଠିକ୍ ନଥିବାରୁ ଏଥି ନେଇ ରାଜସ୍ୱ ବିଭାଗ ଏବଂ ସଂପୃକ୍ତ ଜିଲ୍ଲାପାଳମାନଙ୍କ ସହ ଯୋଗାଯୋଗ କରିବା ନିମନ୍ତେ ଅନୁରୋଧ କରିଛନ୍ତି । ଚଳିତ ମାସ ୩୧ ତାରିଖ ସୁଦ୍ଧା ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ସମେତ କ୍ଷେତ୍ର ଅଧିକାରୀମାନଙ୍କ କୋଭିଡ – ୧୯ର ଦ୍ଵିତୀୟ ଡୋଜ୍ ଟିକାକରଣକୁ ସୁନିଶ୍ଚିତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ ମହାମାରୀ ଯୋଗୁଁ ଦୀର୍ଘଦିନ ଧରି ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ବନ୍ଦ ଥିବା କାରଣରୁ ପିଲାମାନଙ୍କ ଶୈକ୍ଷିକସ୍ତର ଜାଣିବା ପାଇଁ ପ୍ରତ୍ୟେକ ସ୍କୁଲ ଖୋଲିବା ପରେ ଚଳିତ ୨୭ ଅକ୍ଟୋବରରୁ ଏକ ବେଶ୍ଲାଇନ୍ ସର୍ଭେ କରାଯିବ । ଚଳିତ ଶିକ୍ଷାବର୍ଷଠାରୁ ଏଫ୍ଏଲ୍ଏନ୍ କାର୍ଯ୍ୟକୁ ବିଧବଦ୍ଧ ରୂପେ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟସ୍ତରରେ ଏହି କାର୍ଯ୍ୟକୁ ନିର୍ଦ୍ଦେଶକ ଏସ୍ଇଆର୍ଟି ଏବଂ ଓସେପା ତଦାରଖ କରିବେ । ଏଥି ସହିତ ସମଗ୍ର ଶିକ୍ଷାର କାର୍ଯ୍ୟକ୍ରମଗୁଡ଼ିକୁ ସଫଳତାର ସହିତ ପହଞ୍ଚାଇବାକୁ ହେଲେ କ୍ଷେତ୍ରରେ କାର୍ଯ୍ୟ କରୁଥିବା ( ଡାଏଟ୍ ) ସି.ଟି କଲେଜର ଅଧିକାରୀ ଏବଂ କ୍ଲଷ୍ଟର ଶିକ୍ଷକମାନଙ୍କର ସମନ୍ଵୟ ବାଞ୍ଛନୀୟ ଅଟେ ।
ଚଳିତ ବର୍ଷଠାରୁ କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ଏଣୁ ବର୍ଷର ବିଭିନ୍ନ ସମୟରେ ସିବିଏସ୍ଇ ଢାଞ୍ଚାରେ ପରୀକ୍ଷା କରାଯିବ । ଏହାର ବହୁଳ ପ୍ରଚାର ଏବଂ ପ୍ରସାର କରାଯିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟାପକ ଭାବରେ ଖାଲି ପଡ଼ିଥିବା ସ୍ଥାନରେ ପଦୋନ୍ନତି ଦିଆଯାଇଛି । କିଛି ପଦୋନ୍ନତିପ୍ରାପ୍ତ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟରେ ଯୋଗ ଦେଇନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ନୂତନ ଭାବେ ସୃଷ୍ଟି ହେଉଥିବା ଖାଲି ପଦବୀ ପୂରଣ ହେବାକୁ ସଚିବ ଶ୍ରୀ ସାହୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପରାମର୍ଶ ଦେଇଛନ୍ତି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା , ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ବରିଷ୍ଠ ପଦାଧ୍ୟାକାରୀ ଉପସ୍ଥିତ ଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ , ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଭର୍ଚୁଆଲ୍ ମାଧ୍ୟମରେ ଏହି ସମୀକ୍ଷା ବୈଠକରେ ଯୋଗଦେଇଥିଲେ ।