ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ପ୍ରଥମ ବର୍ଷ ( ଏକାଦଶ ) କ୍ଲାସରୁମ୍ ପାଠପଢ଼ା ଆଜି ଠାରୁ ଆରମ୍ଭ ହୋଇଛି। ପିଲାଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲିବା ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କ୍ୟାମ୍ପସକୁ ଭଲଭାବେ ପରିଷ୍କାର ପରିଛନ୍ନ କରାଯିବା ସହିତ କ୍ଲାସରୁମ୍ ଓ ହଷ୍ଟେଲ ବିଶୋଧନ କରାଯାଇଛି । ଶିକ୍ଷା ସାଙ୍ଗକୁ ପିଲାଙ୍କ ସ୍ବାସ୍ଥ୍ୟକୁ ମଧ୍ୟ ଗୁରୁତ୍ବ ଦେବାକୁ ବିଭାଗ କଡ଼ା ନିର୍ଦ୍ଦେଶ ଦେଇଛି । ତେବେ ଆଜିର ପ୍ରଥମ ଦିନରେ ପିଲାଙ୍କର ଓରିଏଣ୍ଟସନ୍ ପ୍ରୋଗ୍ରାମ୍ ଅନୁଷ୍ଠିତ ହେବ । ନୂତନ କରି କଲେଜରେ ପାଦ ଥାପିଥିବା ପିଲାମାନଙ୍କୁ ଆଗାମୀ ଭବିଷ୍ୟତ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ ମାର୍ଗଦର୍ଶନ କରିବେ । ଶ୍ରେଣୀ ଗୃହରେ ପିଲାମାନଙ୍କର ରୋଲ୍ ନମ୍ବର ଅନୁଯାୟୀ ବସିବାର ବନ୍ଦୋବସ୍ତ କରାଯିବା ସହ ନିର୍ଦ୍ଧାରିତ ରୋଲ୍ ନମ୍ବର ଅନୁଯାୟୀ ଛାତ୍ରଛାତ୍ରୀଶ୍ରେଣୀ ଗୃହରେ ବସିବେ । ସେହିପରି ନଭେମ୍ବର ୧ରୁ ୟୁନିଫର୍ମ ବାଧ୍ୟତାମୂଳକ ହେବ । ନିର୍ଦ୍ଧାରିତ ଡ୍ରେସ୍ କୋଡ୍ ଓ ପରିଚୟ ପତ୍ର ସହିତ ଛାତ୍ରଛାତ୍ରୀ କ୍ୟାମ୍ପସ ଆସିବେ । କ୍ଲାସରୁମ୍ ପାଠପଢ଼ା ସହିତ କଳା , ବାଣିଜ୍ୟ ଓ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ୟୁ – ଟ୍ୟୁବ୍ ଲାଇଭ୍ କ୍ଲାସ ମଧ୍ୟ ଜାରି ରହିବ । ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପିଲାମାନେ ୟୁ ଟ୍ୟୁବ୍ କ୍ଲାସ ଜରିଆରେ ପାଠ ପଢ଼ି ପାରିବେ । ପିଲାଙ୍କୁ ପାଠପଢ଼ା ସମୟରେ ଦଶମ ଶ୍ରେଣୀ ସହିତ ସାମଞ୍ଜସ୍ୟ ଥିବା ପାଠ୍ୟକ୍ରମକୁ ଅଧ୍ୟାପକମାନେ ଭଲଭାବେ ପଢ଼ାଇବେ । ନିୟମିତ ଅଭିଭାବକ ଓ ଶିକ୍ଷକ ବୈଠକ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ । କ୍ୟାମ୍ପସ୍କୁ ରାଙ୍ଗି ମୁକ୍ତ କରିବା ସହିତ ହଷ୍ଟେଲ ଓ ବିଦ୍ୟାଳୟ ହତା ସଫା କରିବା , କରୋନା କଟକଣାର ଅନୁପାଳନ ପ୍ରତି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ବିଶେଷ ଗୁରୁତ୍ବ ଦେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।