ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ପାଖାପାଖି ୫ ବର୍ଷର ବ୍ୟବଧାନ ପରେ ଆଇସିସି ଟି ୨୦ ବିଶ୍ବକପ୍ର ପରବର୍ତ୍ତୀ ସଂସ୍କରଣ ରବିବାରଠାରୁ ଆରମ୍ଭ ହୋଇଛି। ଶେଷ ଥର ପାଇଁ ଗତ ୨୦୧୬ରେ ଏହି ଆଇସିସି ଇଭେଣ୍ଟ୍ ଅନୁଷ୍ଠିତ ହୋଇଥିଲା , ଯେଉଁଥିରେ ୱେଷ୍ଟଇଣ୍ଡିଜ୍ ଚାମ୍ପିଅନ୍ ହୋଇଥିଲା । ଏହାପରେ ବିଭିନ୍ନ କାରଣରୁ ଏହି ପ୍ରତିଯୋଗିତାଟି ଆୟୋଜିତ ହୋଇପାରି ନ ଥିଲା । ଗତବର୍ଷ ଆୟୋଜିତ ହେବାକୁ ଥିଲେ ହେଁ କୋଭିଡ୍ ସଂକ୍ରମଣ କାରଣରୁ ଏହା ଚଳିତ ବର୍ଷକୁ ଘୁଞ୍ଚିଥିଲା । ବିସିସିଆଇ ଏହି ସଂସ୍କରଣର ଆୟୋଜନ ଅଧିକାର ପାଇଥିବାରୁ ଭାରତର କ୍ରିକେଟ୍ପ୍ରେମୀ ଉପଭୋଗ କରିବା ନେଇ ଆଶା ବାନ୍ଧିଥିଲେ ମଧ୍ୟ ଶେଷରେ ଏହାକୁ ଓମାନ୍ ଓ ୟୁଏଇକୁ ସ୍ଥାନାନ୍ତର କରାଯାଇଥିଲା । ଶେଷରେ ରବିବାରଠାରୁ ଏହି ସଂସ୍କରଣଟି କ୍ୱାଲିଫାଇଙ୍ଗ୍ ପର୍ଯ୍ୟାୟ ସହ ଆରମ୍ଭ ହୋଇଛି । ପ୍ରଥମ ମୁକାବିଲାରେ ଓମାନ୍ ପ୍ରତିପକ୍ଷ ପପୁଆ ନ୍ୟୁ ଗିନିକୁ ୧୦ ୱିକେଟ୍ରେ ପରାସ୍ତ କରି ଏହାବିଜୟ ସହ ଅଭିଯାନ ଆରମ୍ଭ କରିଛି ।
କ୍ଵାଲିଫାଇଙ୍ଗ୍ ରାଉଣ୍ଡ୍ରେ ଭାଗନେଇଥିବା ୮ଟି ଟିମ୍ କୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଏହି ରାଉଣ୍ଡ୍ର ମ୍ୟାଚଗୁଡ଼ିକ ଖେଳାଯିବ । ଉଭୟ ଗ୍ରୁପ୍ର ଦୁଇଟି ଶୀର୍ଷ ଟିମ୍ ଆସନ୍ତା ୨୩ରୁ ଆରମ୍ଭ ହେବାକୁ ଥିବା ସୁପର୍ – ୧୨ ରାଉଣ୍ଡ୍ରେ ପ୍ରବେଶ କରିବେ । ଏହି ରାଉଣ୍ଡ୍ ପାଇଁ ପୂର୍ବରୁ ଆଇସିସି ଟି – ୨୦ ବ୍ୟାଙ୍କିଙ୍ଗ୍ର ଶୀର୍ଷ ୮ ଟିମ୍ ଯୋଗ୍ୟତା ପାଇସାରିଛନ୍ତି । ଏହି ପର୍ଯ୍ୟାୟରେ ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ଓ ସାଉଥ୍ ଆଫ୍ରିକା ମଧ୍ୟରେ ଆବୁଦାବି ଠାରେ ଖେଳାଯିବ । ଉକ୍ତଦିନ ଦ୍ଵିତୀୟ ମ୍ୟାଚ୍ରେ ଦୁବାଇଠାରେ ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍ ଇଣ୍ଡିଜ୍ ସହ ଇଂଲଣ୍ଡର ମୁକାବିଲା ହେବ । ପରଦିନ ଅର୍ଥାତ୍ ଅକ୍ଟୋବର ୨୪ରେ ବହୁପ୍ରତୀକ୍ଷିତ ଭାରତ ଓ ପାକିସ୍ତାନ ମୁକାବିଲା ଆୟୋଜିତ ହେବ । ପ୍ରତିଯୋଗିତାର ସେମିଫାଇନାଲ୍ ଦୁଇଟି ନଭେମ୍ବର ୧୦ ଓ ୧୧ ତାରିଖରେ ଖେଳାଯିବା ପରେ ଶେଷରେ ନଭେମ୍ବର ୧୪ ତାରିଖରେ ଫାଇନାଲ୍ ମୁକାବିଲା ଦୁବାଇଠାରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି ।