ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ଆହୁରି ୩ ଦିନ ପର୍ଯ୍ୟନ୍ତ ଲଘୁଚାପ ବର୍ଷା ଜାରି ରହିବ। ଆସନ୍ତା ୨୦ ଯାଏ ଉତ୍ତର – ପଶ୍ଚିମ ଓଡ଼ିଶାରେ ଲାଗି ରହିବ ଲଘୁଚାପ ଜନିତ ବର୍ଷା । ଶନିବାର ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଉତ୍ତର ତେଲେଙ୍ଗାନା ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ବୋଲି ସୂଚନା ମିଳିଛି । ଏହାସହ ଉତ୍ତର ଆଣ୍ଡାମାନ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ମଧ୍ୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିବା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି ।
ଆସନ୍ତାକାଲି ସୁନ୍ଦରଗଡ଼ , ମୟୂରଭଞ୍ଜ , ବାଲେଶ୍ଵର , କେନ୍ଦୁଝର ଆଦି ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି ହୋଇଥିବାବେଳେ ମୋଟ ୧୬ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ବିଶେଷକରି ଯାଜପୁର , ସୁନ୍ଦରଗଡ଼ , ଝାରସୁଗୁଡ଼ା , ସମ୍ବଲପୁର , ଦେଓଗଡ଼ , ଅନୁଗୁଳ , ଢେଙ୍କାନାଳ , କେନ୍ଦୁଝର , ମୟୂରଭଞ୍ଜ , ପୁରୀ , ଖୋର୍ଦ୍ଧା , ଜଗତସିଂହପୁର , କଟକ , କେନ୍ଦ୍ରାପଡ଼ା , ଭଦ୍ରକ ଓ ବାଲେଶ୍ବରକୁ ସତର୍କ କରାଯାଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ସେହିପରି ସମୁଦ୍ର ଭିତରେ ଘଣ୍ଟା ପ୍ରତି ପବନର ବେଗ ୬୦ କିମି ଯାଏଁ ରହିବ । ପ୍ରବଳ ବର୍ଷା ଏବଂ ପବନ ଯୋଗୁଁ ଆସନ୍ତା ୨୧ ତାରିଖ ଯାଏଁ ଉତ୍ତର ବଙ୍ଗୋପସାଗର ମଧ୍ୟକୁ ପ୍ରବେଶ ନ କରିବାକୁ ପରାମର୍ଶ ଦିଆଯାଇଛି । ୨୧ ପୂର୍ବରୁ ପାଗରେ ବିଶେଷ ପରିବର୍ତ୍ତନ ହେବାର ନାହିଁ ବୋଲି ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି ।