ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଦେଶରେ କ୍ରମାଗତ ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ତୈଳ ଦର ଉପର ମୁହାଁ ହେବାରୁ ସାମଗ୍ରୀ ଦରଦାମ ଆକାଶ ଛୁଆଁ ହୋଇଛି । ଆଜି ପୁଣି ରାଷ୍ଟ୍ରାୟତ୍ତ ତୈଳ ସଂସ୍ଥା ଗୁଡିକ ପେଟ୍ରୋଲ ଓ ଡିଜେଲ ଉପରେ ଦର ବୃଦ୍ଧି କରିଛନ୍ତି । ଭୁବନେଶ୍ୱରରେ ପେଟ୍ରୋଲ ଉପରେ ୩୫ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଉପରେ ୩୯ ପଇସା ବଢ଼ିଛି । ବର୍ଦ୍ଧିତ ଦର ଲାଗୁ ହେବା ଦ୍ବାରା ରାଜଧାନୀରେ ପେଟ୍ରୋଲ ଲିଟର ପିଛା ଦର ୧୦୬ , ୭୭ ଟଙ୍କା ଏବଂ ଡିଜେଲ ଲିଟର ପିଛା ଦର ୧୦୩.୧୫ ଟଙ୍କାରେ ପହଞ୍ଚିଛି । ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦାମ ୧୦୫ , ୮୪ ଟଙ୍କାରେ ପହଞ୍ଚିଛି । ଡିଜେଲ ଦର ୯୪ , ୫୭ ଟଙ୍କା ପ୍ରତି ଲିଟର ହୋଇଛି । କ୍ରମାଗତ ଚତୁର୍ଥ ଦିନ ପାଇଁ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୩୫ ପଇସା ଓ ୩୯ ପଇସା ଲେଖାଏଁ ବଢ଼ିଛି । ପରିବହନ ବ୍ୟବସ୍ଥା ଯୋଗୁଁ ରାଜ୍ୟର ଅନ୍ୟାନ୍ୟ ସହରରେ ତୈଳ ଦର ଭିନ୍ନ ରହିଛି । କଟକରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୧୦୭.୨୯ ଟଙ୍କା ଏବଂ ଡିଜେଲ ଲିଟର ପିଛା ମୂଲ୍ୟ ୧୦୩.୬୫ ଟଙ୍କା ହୋଇଛି ।